Img 20240302 Wa0356

ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ, ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ  ୫୨ଟି ପ୍ରକଳ୍ପର ଶୁଭାରମ୍ଭ

State
ମୟୂରଭଞ୍ଜରେ ୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତରର ଶୁଭାରମ୍ଭ
5T ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ
୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ,
୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ
ନୟାଗଡ କୁସୁମି ବ୍ୟାରେଜ ଉଦ୍‌ଘାଟିତ ଏବଂ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର
ଜଳକୁ ଭୂତଳ ପାଇପଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ
୩ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ
୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ
ଓ ଅନ୍ୟାନ୍ୟ ପ୍ରକଳ୍ପର  ଭିତ୍ତି ପ୍ରସ୍ତର ସ୍ଥାପନ
ଚାଷୀ ଆମ ଅର୍ଥନୀତିର ସାରଥି,
ସେମାନଙ୍କୁ ସାଥିରେ ଧରି ମୁଁ ସବୁବେଳେ ରହିଛି,
ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି – ମୁଖ୍ୟମନ୍ତ୍ରୀ
ବାରିପଦା – ଆଜି ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ  ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସାରସକଣ ବ୍ଲକ୍ ଅନ୍ତର୍ଗତ ଶଙ୍ଖଭଙ୍ଗା ଠାରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ବାଙ୍ଗିରିପୋଷି ଠାରେ ତିଲେ ଜଳସେଚନ ପ୍ରକଳ୍ପ ଏବଂ ଯଶିପୁର ଠାରେ ମାଣଦା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯୋଜନା ମାନଙ୍କର ଭିତ୍ତପ୍ରସ୍ତର ସ୍ଥାପନା କରାଯାଇଛି।
ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହି ଆସିଛି। ମୁଁ ପ୍ରତିଦିନ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳର ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛି ବୋଲି ପ୍ରକାଶ କରି ସେ କହିଥିଲେ ଚାଷୀଙ୍କ ପାଇଁ ଆମର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ଖୁବ୍‌ ଭଲ କାମ କରୁଛି।
ଆଭାସି ମାଧ୍ୟମରେ ଏହି ପ୍ରକଳ୍ପ ସମସ୍ତଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଥିବା ଓସ୍ୱାନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସେ କହିଥିଲେ ଯେ ଗତ କିଛି ଦିନ ଧରି ଓଡିଶାର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଅନେକ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇ ଆସୁଛି। ଏହା ସହିତ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ରଖାଯାଉଛି। ଏହି ସବୁ ପ୍ରକଳ୍ପଗୁଡିକରେ  5T ଉପକ୍ରମ ଅଧିନରେ ଟେକ୍‌ନୋଲୋଜିର ପ୍ରୟୋଗ କରାଯାଇ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯାଉଛି। ଭୂତଳ ପାଇପଲାଇନ ଜରିଆରେ ଜଳସେଚନ ଯୋଗୁଁ ବିସ୍ଥାପନ ସମସ୍ୟା ଦୂର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜିର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡର କୁସୁମି ବ୍ୟାରେଜ ଉଦ୍‌ଘାଟିତ ହୋଇଛି। ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜରୁ ଜଳ ଯୋଗାଣ ନିମନ୍ତେ  ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ୱାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ ଏବଂ 3ଟି ବ୍ଲକର ୪୯ଟି ଗ୍ରାମର ୧.୫ଲକ୍ଷ ଲୋକ ଉପକୃତ ହେବେ । ଏହା ସହିତ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି।
ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ଏହାଦ୍ବାରା କଟକ ଜିଲ୍ଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବା ସହିତ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ୧ ମେଗାୱାଟର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଅଛି । ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଓ ୧୯୫.୮୯ କୋଟି ଟଙ୍କା ଅଟେ।
କଟକ ଡିମିରିଆ-ରାଉତପଡା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ୱର-ଗୋପିନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ- ଏହି ପରି ୩ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ ଓ ଅନାନ୍ୟ ପ୍ରକଳ୍ପର  ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀମାନଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମାଗଣାରେ ଫସଲବୀମା ସୁବିଧା, ଚାଷୀପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଓ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆମ ଓଡିଶା ନବୀନ ଓଡିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଲକ୍ଷ୍ମୀ ପରି ଯୋଜନା ସହିତ ଚାଷୀ ପରିବାର ଯୋଡି ହୋଇ ରହିଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମ ଅର୍ଥନୀତିର ସାରଥି। ସେମାନଙ୍କୁ ସାଥିରେ ଧରି ମୁଁ ସବୁବେଳେ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି।
କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। ସେ ଯାହା ବି କଥା ଦେଇଛନ୍ତି, ତାହା ନିଶ୍ଚୟ ପୂରଣ କରିବେ। ତାଙ୍କ ଜିଲ୍ଲା ଗସ୍ତ ସମୟରେ ଜଳସେଚନ ଉପରେ ଯେଉଁ ସବୁ ସମସ୍ୟା ବାବଦରେ ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସମାଧାନ ହୋଇ ସାରିଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।