Gdjgdjgjgjd 750x405

ନିର୍ବାଚନରେ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖାନ କରିବେ ଓଡ଼ିଶାବାସୀ: ବି.ଭି. ଶ୍ରୀନିବାସ

State

ଭୁବନେଶ୍ବର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ ବିକ୍ଷୋଭ ସହ ନବୀନ ନିବାସ ଘେରାଉ କରାଯାଇଛି। ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବି.ଭି ଶ୍ରୀନିବାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଯୁବ କଂଗ୍ରେସ କର୍ମକର୍ତ୍ତା ନବୀନ ନିବାସ ଘେରିବା ପାଇଁ ଯାଉଥିବା ବେଳେ ରାଜମହଲ ଛକଠାରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ କିଛି ବିକ୍ଷୋଭକାରୀ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପରେ ପୁଲିସ ବହୁ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା।
କଂଗ୍ରେସ ଭବନରେ ଆୟୋଜିତ ସମାବେଶରେ ଉଦ୍‌ବୋଧନ ଦେଇ ବି.ଭି ଶ୍ରୀନିବାସ କହିଥିଲେ ଯେ ଓଡ଼ିଶାରେ ମୋଦୀ-ନବୀନଙ୍କ ସରକାର ଚାଲିଛି, ଦୁହିଁଙ୍କର ନିଷ୍ପତ୍ତି ଗୋଟିଏ। ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବକମାନେ ରାଜ୍ୟ ବାହାରକୁ ଯାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କାରଣ ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ଦେଇ ପାରୁନାହାନ୍ତି। ଓଡ଼ିଶାରେ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବିଫଳ ହୋଇଛି। ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଖଣି, ପାଣି, ଡାଲି, ଜମି, ଚିଟଫଣ୍ଡ ଓ ଛାତ୍ରବୃତ୍ତି ଦୁର୍ନୀତି ପାଇଁ ନବୀନ ସରକାର ନିନ୍ଦିତ। ମୋଦୀ ସରକାର ଏକ ଚାଷୀ ହତ୍ୟାକାରୀ ସରକାର। ଅଗ୍ନିବୀର ଯୋଜନା ବେକାର ଯୁବକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ମୋଦୀ ଓ ନବୀନ ସରକାରରେ ଶାସନ କଳର ଅପପ୍ରୟୋଗ କରାଯାଇ ବିରୋଧୀ ଦଳର କଣ୍ଠରୋଧ କରାଯାଉଛି। ଆସନ୍ତା ନିର୍ବାଚନରେ ଓଡ଼ିଶାର ଲୋକମାନେ ରାଜ୍ୟ ସରକାରକୁ ପ୍ରତ୍ୟାଖାନ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଥିଲେ, ନବୀନ ସରକାର ରାଜ୍ୟର ଯୁବକମାନଙ୍କ ଶତ୍ରୁ। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଘୋଷଣା କରିଥିଲେ। ସେହି ଢଙ୍ଗରେ ଏବେ ଯୁବ ଭୋଟରଙ୍କୁ ହାତେଇବା ପାଇଁ ‘ସ୍ବୟମ’ ଯୋଜନା ହୋଇଛି। ନିର୍ବାଚନ ପରେ ଏହି ଯୋଜନା ଆଉ ନ ଥିବ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସରକାରୀ ଯୋଜନାର ବ୍ୟାପକ ଲୁଟ୍‌, ଉତ୍କଟ ବେକାରୀ ଓ ଦାରିଦ୍ର୍ୟ ପାଇଁ ସାଧାରଣ ଜନତା ରାଜ୍ୟ ସରକାରଙ୍କ ଉପରୁ ଭରସା ତୁଟାଇ ସାରିଲେଣି। ତେଣୁ ଯୁବକମାନେ ନବୀନ ହଟାଅ, ଓଡ଼ିଶା ବଞ୍ଚାଅ ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀ ପାତ୍ର କହିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଶିବାନନ୍ଦ ରାୟ, ବିଶ୍ବଜିତ ଦାସ, ୟାସିର ନୱାଜ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ଆଲୋକ ଲେଙ୍କା, ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ଅଭିଜିତ ଜେନା, ସ୍ବାଗତ କର, ଭାଗ୍ୟଶ୍ରୀ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ, ସୋନୁ ଶ୍ରୀବାସ୍ତବ ଓ ଅନ୍ୟମାନେ ସାମିଲ ହୋଇଥିଲେ।