Gdgddgjdgjgj 750x430

ପାଣି ମିଳୁନି : ଜଙ୍ଗଲ ଛାଡ଼ୁଛନ୍ତି ବନ୍ୟଜନ୍ତୁ

State

ବାରିପଦା :  ଶିମିଳିପାଳରେ ଜଳଉତ୍ସଗୁଡ଼ିକ ଶୁଷ୍କ ଅବସ୍ଥାକୁ ଆସିଯାଇଥିବାରୁ ଶୋଷ ମେଣ୍ଟାଇବା ପାଇଁ ବନ୍ୟଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁନି। ତା’ ସାଙ୍ଗକୁ ଜଙ୍ଗଲ ନିଆଁ ମଧ୍ୟ ସେମାନଙ୍କ ପାଇଁ କାଳ ସାଜିଛି। ଖାଦ୍ୟ ଓ ପାଣି ଅନ୍ବେଷଣରେ ବନ୍ୟଜନ୍ତୁମାନେ ଏବେ ଜଙ୍ଗଲରୁ ବାହାରି ଆଖପାଖ ଜନବସତିରେ ପଶୁଥିବା ଦେଖିବାକୁ ମିଳୁଛି। ଆଜି ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ବଜାର ଛକ ପାଖରେ ସକାଳୁ ପାଞ୍ଚଟି ହରିଣଙ୍କୁ ଦେଖିବାକୁ ମିଳିଥିଲା। ଲୋକଙ୍କୁ ଦେଖି ଗୋଟିଏ ହରିଣ ଭୟରେ ଦୌଡ଼ିବା ସମୟରେ ଏକ ଘର ବାଡ଼ରେ ଫସି ଯାଇଥିଲା। ଅନ୍ୟ ୪ଟି ହରିଣ ଏଣେତେଣେ ଦୌଡ଼ି ପଳାଇଥିଲେ। ଖବର ପାଇ ବାଙ୍ଗିରିପୋଷି ଓ କୁଳିଅଣା ବନ କର୍ମଚାରୀ ପହଞ୍ଚି ଫସିଥିବା ହରିଣଟିକୁ ଉଦ୍ଧାର କରିଥିଲେ। ସାଧାରଣତଃ ହରିଣ ଏକ ଭୟାତୁର ଜୀବ ହୋଇଥିବାରୁ ମଣିଷଙ୍କୁ ଖୁବ୍‌ ନିକଟରୁ ଦେଖିଲେ ଏହାର ହୃତ୍‌ସ୍ପନ୍ଦନ ମାତ୍ରାଧିକ ବଢ଼ିଯାଏ ଓ ଶେଷରେ ହୃଦ୍‌ଘାତରେ ତାର ମୃତ୍ୟୁ ଘଟିଥାଏ। ତେଣୁ ଉଦ୍ଧାର ହରିଣର ମୁହଁକୁ ତୁରନ୍ତ କପଡ଼ାରେ ଢାଙ୍କି ଦିଆଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଏହାକୁ ଶିମିଳିପାଳ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ବାକି ୪ଟି ହରିଣ କୁଳିଅଣା ନିକଟସ୍ଥ ଡେରା କାଜୁ ଜଙ୍ଗଲରେ ଅଛନ୍ତି।
ସେମାନଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେବା ଲାଗି କୁଳିଅଣା ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ କଳାବାଡ଼ିଆ ନୁହେଁ, ଗତ କିଛିଦିନ ହେଲା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜନବସତିରୁ ହରିଣ, ସମ୍ବର, ବାର୍‌ହା ଆଦି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଉଛି। ସେହିପରି ୫୦ରୁ ଅଧିକ ଶିମିଳିପାଳ ହାତୀ ମାର୍ଚ୍ଚରୁ ଏ ଯାଏ ଜଙ୍ଗଲକୁ ଫେରିବାର ନାଁ ଧରିନାହାନ୍ତି। ଜଙ୍ଗଲରେ ନିଆଁଭୟ, ପାଣି ଓ ଖାଦ୍ୟ ସମସ୍ୟା ପାଇଁ ଏମିତି ହେଉଥିବାର କହିଛନ୍ତି ପରିବେଶବିତ୍‌। ଖରାଦିନେ ଜଙ୍ଗଲରେ ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳାଶୟ ଖୋଳିବାକୁ ବନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯାଉଛି। ହେଲେ ସବୁ ରେଞ୍ଜରେ ଏହାକୁ କଡ଼ାକଡ଼ି ପାଳନ କରାଯାଉନି। ତେବେ ବାଙ୍ଗିରିପୋଷି ରେଞ୍ଜର ମହେଶ୍ବର ସିଂଙ୍କ କହିବା ଅନୁଯ‌ାୟୀ‌‌‌, ଏହି ରେଞ୍ଜ ଅନ୍ତର୍ଗତ ବାଙ୍ଗିରିପୋଷି ଓ ସ‌ାରସକଣା ବ୍ଲକ୍‌ ଅଞ୍ଚଳରେ ଜୀବଜନ୍ତୁଙ୍କ ପିଇବା ପାଇଁ ୧୪ଟି ପୋଖରୀ ଖୋଳାଯାଇଛି। ଶିମିଳିପାଳ ସଂଲଗ୍ନ ଦିଘି, ଝିଙ୍କିପାହାଡ଼ି, ଟାଙ୍ଗିବସା, ପାଖଟିଆ, ମସିଣାବିଲା, ହିନ୍ଦୁସାହି, ନାଫ୍ରି, ବଡ଼ଗାଁ, ଭୂଆଶୁଣି ଆଦି ଅଞ୍ଚଳରେ ଏହିସବୁ ଜଳାଶୟ ରହିଛି। ଏବେ ଗଛରୁ ମହୁଲ ଫୁଲ ଝଡ଼ିବା ସମୟ। ଏହାରି ବାସ୍ନାରେ ମତୁଆଲା ହୋଇ ହରିଣ ଓ ଅନ୍ୟ ତୃଣଭୋଜୀ ପ୍ରାଣୀ ରାତିରେ ଘଞ୍ଚ ଜଙ୍ଗଲରୁ ବାହାରି ଆସୁଛନ୍ତି। ସକାଳ ହେଲେ ମଣିଷଙ୍କୁ ଦେଖି ଭୟରେ ବାଟବଣା ହୋଇ ଜନବସତିକୁ ପଶି ଯାଉଛନ୍ତି। ତେବେ ଏହି ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ସତର୍କ ଦୃଷ୍ଟି ରଖିଛି।