Img 20240301 Wa0241

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ହ୍ୱିଲ୍ ଚେୟାର ଦିବସ- ୨୦୨୪ ପାଳିତ

State

ବାରିପଦା : ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଲକ୍ଷ୍ମୀପୋଷି ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ହ୍ୱିଲ୍ ଚେୟାର ଦିବସ- ୨୦୨୪ ପାଳିତ ହୋଇଯାଇଛି । ଆୟୋଜିତ ଏହି ସମାରୋହରେ ସଭାପତି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡଃ ପ୍ରଫେସର ମିନତୀ ମିଶ୍ର, ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ଜେନା, ମୁଖ୍ୟ ବକ୍ତା ଭାବେ ବିଜୟ କୁମାର ବେହେରା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ମଞ୍ଚାସୀନ ଥିଲେ I

ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ I ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୁକ୍ତି କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି I ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସଭିଙ୍କର ମିଳିତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଭିନ୍ନକ୍ଷମଙ୍କୁ ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା ବୋଲି ସଭାପତି ଶ୍ରୀ ବେହେରା ନିଜର ବାର୍ତ୍ତା ରଖିଥିଲେ I କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ବିଜୟ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଏହି ଅବସରରେ ୨୬ଟି ବ୍ଲକର ୨୬ ଜଣ ହିତାଧିକାରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜଣେ ଭିନ୍ନକ୍ଷମ ବିବାହିତା ଦମ୍ପତ୍ତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା I ପରିଶେଷରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ସୂଚନା ଥାଉକି, ଅନ୍ତର୍ଜାତୀୟ ହ୍ୱିଲ୍ ଚେୟାର ଦିବସ- ୨୦୨୪ ପାଳନ ଅବସରରେ ସକାଳ ଘ. ୮.୩୦ ସମୟରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା ଏବଂ ଏହି ରାଲିକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଉଦ୍ଘାଟନ କରିଥିଲେ I ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଭିନ୍ନ କ୍ରୀଡାର ଆୟୋଜନ କରାଯାଇଥିଲା I