Photo For The News Of Nandipada(basantia)hata

ସମୟଚକ୍ରରେ ହଜି ଯାଉଛି ହାଟ ପରମ୍ପରା, ଅସ୍ତିତ୍ୱ ହରାଇବାକୁ ବସିଛି ନନ୍ଦିପଦା ହାଟ

State

ଆଗରପଡ଼ା :ଭଦ୍ରକ ଜିଲ୍ଲାର ଶେଷ ଏବଂ କେନ୍ଦୁଝର ଜିଲ୍ଲାର ଆରମ୍ଭ ତଥା ଦୁଇ ଜିଲ୍ଲା ସଂଗମ ସ୍ଥଳରେ ଅବସ୍ଥିତ ଥିବା ନନ୍ଦିପଦା (ବସନ୍ତିଆ) ହାଟ ସମୟଚକ୍ରରେ ଆଜି ତାର ଅସ୍ତିତ୍ୱ ହରାଇବାକୁ ବସିଛି । ଦିନେ ଗାଁ ଗହଳିର ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସର୍ବ ପ୍ରାଚୀନ ପଣ୍ୟ ବିନିମୟ କେନ୍ଦ୍ର ବିନ୍ଦୁ ପାଲଟିଥିଲା । ହେଲେ ତାହାର ରକ୍ଷଣାବେକ୍ଷଣ ଓ ସରକାଙ୍କ ଦୃଷ୍ଟି ଅଗୋଚର ଅଭାବରୁ ଆଜି ଲୋପପାଇବାକୁ ବସୁଛି । ବସନ୍ତିଆ ଗ୍ରାମର ଶେଷ ସୀମାରେ ୧୯୬୬ ମସିହାରେ ବସନ୍ତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ କପିଳ ପାଣିଗ୍ରାହୀଙ୍କ ଉଦ୍ୟମରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ସ୍ଥାପିତ ହୋଇଥିଲା ନନ୍ଦିପଦା ହାଟ, ଯାହା ସମୟକ୍ରମେ ବସନ୍ତିଆ ହାଟ ନାମରେ ପରିଚିତ ହୋଇଛି । ଏହି ହାଟ ସମୟ, ସଭ୍ୟତା ଆଉ ବ୍ୟବସାୟିକ ଉତ୍‌ଥାନ ପତନ ଅଭିଜ୍ଞତାକୁ ଅଂଗେ ନିଭାଇ ଏବେ ମଧ୍ୟ ସେହି ଚିରାଚରିତ ହାଟ ରୂପରେ ଏବେ ବି ନିଜର ନିଜର ସ୍ଥିତି ଜାହିର ରଖିଛି । ବସନ୍ତିଆ ପଂଚାୟତର ତତ୍‌କାଳୀନ ଭଦ୍ରକ-ଆନନ୍ଦପୁର ମୁଖ୍ୟ ରାସ୍ତା ର ବାମ ପାଶ୍ୱର୍ ସ୍ଥିତ ୪ ଏକର ୪୨ ଡେସିମାଲ ଜମି ଉପରେ ଏହି ହାଟର ଅବସ୍ଥିତି । ଏହା ୫୩ ନଂ ଚାନ୍ଦବାଲି-ଆନନ୍ଦପୁର ରାଜ୍ୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ । ଏହାର ଅନତି ଦୂରରେ ଏକ ସୁବିସ୍ତୃତ ପୁଷ୍କରିଣୀ ମଧ୍ୟ ରହିଛି । ଆରମ୍ଭରୁ ପ୍ରାୟ ତିନୋଟି ଜିଲ୍ଲା ଭଦ୍ରକ, କେନ୍ଦୁଝର ଓ ମୟୁରଭଂଜର ବିଭିନ୍ନ ଗ୍ରାମର ଲୋକେ ଏହା ଉପରେ ନିର୍ଭର କରୁଥିଲେ । ବର୍ତମାନ ପ୍ରତି ଗ୍ରାମରେ ବ୍ୟବସାୟିକ କେନ୍ଦ୍ର ସ୍ଥାପିତ ହେବାରୁ ତାହା ସୀମିତ ହୋଇଯାଇଛି । ଏହାର ଗୋଟିଏ ପାଶ୍ୱର୍ ସିଲନ୍ଦି, ଅଡାଳପଂକ, ଆଡ଼ିଆ ଦେଇ ଆଗରପଡ଼ା, ଆଉ ଏକ ପାଶ୍ୱର୍ ବନ୍ତ, ଟିଲୋ, ତାଳପଦା, ପଳସା ଦେଇ ଗଣିଜାଂଗ, ଅନ୍ୟ ଏକ ପାଖ କେନ୍ଦୁଝର ଜିଲାର ଓରାଳି, ଡଅଁର, ଶାଳଣିଆଁ ସହିତ ସଂଯୁକ୍ତ ହୋଇଥିବା ବେଳେ ମୁଖ୍ୟ ରାସ୍ତାର ମରୈଗାଁ, ହାଟଡିହୀ ଓ ଛେନାପଦୀ ଦେଇ ଆନନ୍ଦପୁର ପର୍ଯ୍ୟନ୍ତ ସଂଯୁକ୍ତ । ଓରାଳି ପଂଚାୟତର ନନ୍ଦିପଦା ଗ୍ରାମ ଅଧୀନସ୍ଥ ଏହି ହାଟଟିର ଭୌଗଳିକ ସ୍ଥିତି ବସନ୍ତିଆ ବଜାର ମଧ୍ୟରେ ଅବସ୍ଥିତ । ତେଣୁ ଓରାଳି ପଂଚାୟତରୁ ଜଣକୁ ନିଲାମ ମାଧ୍ୟମରେ ହାଟଦାଣ୍ଡିଆ ଭାବେ ଚୟନ କରିବାର ପରଂପରା ରହିଛି । ସେତେବେଳେ ମାତ୍ର ୨୦ ଟଙ୍କାରେ ଏକ ବର୍ଷ ପାଇଁ ହାଟ ନିଲାମ ହେଉଥିଲା । ବର୍ତମାନ ଏହା ୨୨ ହଜାର ଟଙ୍କା ସରକାରୀ ମୂଲ୍ୟରେ ହେଉଥିବା ଜଣା ଯାଇଛି । ମୁକ୍ତ ଆକାଶ ତଳେ ପ୍ରଥମେ ଆରମ୍ଭ ହୋଇଥିବା ଏହି ହାଟରେ ସମୟ କ୍ରମେ ବରଡା ଛପର ଚାଳି ଗୁଡିଏ ତିଆରି ହୋଇ ସେଥିରେ ବେପାରୀମାନେ ବସୁଛନ୍ତି ।

ସରକାରଙ୍କ ଦ୍ୱାରା ଏହାକୁ ପକ୍କା ଗୃହସହ ବହୁ ସୁବିଧା କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଏହାର ସାମାନ୍ୟ ପରିବର୍ତନ ହୋଇନି । ଫଳରେ ଏହାର ଆକାର କ୍ରମଶ ସ୍ୱଳ୍ପ ହେବାସହ ସରକାରଙ୍କ ଦୃଷ୍ଟି ଆଢ଼ୁଆରେ ଏହା ଲୁଚିଯାଉଥିବାରୁ ଏହାର ଅସ୍ଥିତ୍ୱ ଦିନକୁ ଦିନ ହଜିବାକୁ ବସିଛି । ବର୍ତ୍ତମାନ ଏହାର ସୈନ୍ଦର୍ଯ୍ୟ କରଣ ସହ ବ୍ୟବସୀୟୀଙ୍କର ଜୀବନ ଆଉ ଜୀବିକା ଆଖି ଆଗରେ ରଖି ଏହାକୁ ନୁତନ ଢ଼ଙ୍ଗରେ ନିର୍ମାଣ କରି ପନଃ ଜୀବିତ କରିବାର ବହୁ ଆବଶ୍ୟକତା ରହିଛି । ଯୋଉଁ କେତେକ ଅସ୍ଥାୟୀ ପଲ୍ଲୀ ରହିଛି ତାହା ବର୍ଷା, ଝଡ଼ବାତ୍ୟାରେ ସମ୍ପୂର୍ଣ୍ଣ ଭାଂଗି ନଷ୍ଟ ହେବାକୁ ବସିଛି । ଫଳରେ ଏହା ଉକ୍ତ ଅଂଚଳପାଇଁ ବ୍ୟବସାୟର ଏକ ମହାନ ପେଣ୍ଠ ସ୍ଥଳୀ ଥିବା ବେଳେ ଲୋପ ପାଇବାକୁ ବସିଛି । ଏହାକୁ ନୂତନଭାବେ ନିର୍ମାଣ କରାଯାଇ ପାରିଲେ ଏହାର ପୂର୍ବ ଅବସ୍ଥା ଫେରିବା ସହ ଏହି ହାଟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ଓ ଗ୍ରାହକ ମାନେ ନିଜର ଜୀବନ ଆଉ ଜୀବିକାକୁ ଭଲଭାବରେ ନିର୍ବାହ କରି ପାରନ୍ତେ ଏବଂ ସମୟଚକ୍ରରେ ହଜିବାକୁ ବସିଥିବା ହାଟ ପରମ୍ପରା ଉଦ୍‌ଜୀବିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାବେ ମତ ପ୍ରକାଶ କରିଛନ୍ତି ।