Sarew

ରାଇରଂଗପୁରରେ ‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

State

ରାଇରଂଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ମୟୂରଭଂଜ ଜିଲ୍ଲାର ରାଇରଂଗପୁରରେ ‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦୁଇ ଲ୍ୟାନ୍ ବିଶିଷ୍ଟ ବାଇପାସ୍ ରାସ୍ତା, ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ପ୍ରଶକ୍ତୀକରଣ ପ୍ରକଳ୍ପ, ବାଇଦାପୋଷି ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ପାଇଁ ଶିଳାନ୍ୟାସ ଓ ବଡସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଆଭାଷୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।

ସମାରୋହରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଜି ସତ୍ୟବ୍ରତ ଭୋଇ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଦ୍ରୌପଦୀ ମୁର୍ମୁ ଜନ୍ମମାଟି ତଥା ନିଜମାଟିକୁ ଆସିଥିବାରୁ ମୟୂରଭଂଜର ଛୋଟପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଇଥିଲେ। ଶ୍ରୀମତୀ ମୁର୍ମୁ ମଧ୍ୟ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଥିଲେ। ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଥିଲେ। ଖିଚିଂରେ ପହଞ୍ଚିଲା ପରେ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା। ଖିଚିଂର ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ପ୍ରସାଦରେ ଥିଲା ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁୁରା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ମଧ୍ୟ ପ୍ରସାଦ ସେବନ କରିଥିଲେ। ଖିଚିଂରେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ସେଠାରୁ ପାଣ୍ଡରଶୀଳସ୍ଥ ଅସ୍ଥାୟୀ ହେଲିପ୍ୟାଡରୁ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ୪.୪୫ରେ ଅବତରଣ କରିଥିଲେ।