Photo For The News Of Medical

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଚିକିତ୍ସା ସେବାରୁ ବଂଚିତ ରୋଗୀ

State

ଲକ୍ଷାଧିକ ଟଙ୍କାର ସରଂଜାମ ଖତ ଖାଉଛି

ଆଗରପଡ଼ା :ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ ସରକାର ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର କରିବା ଏବଂ ଉକ୍ତ ଅର୍ଥରେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଉନ୍ନତି କାର୍ଯ୍ୟ ଚାଲିଥିବା ବେଳେ ବିକାଶ ଆଳରେ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ । ଡ଼ାକ୍ତର ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଏବେ ସରଂଜାମ ଉପଳବ୍ଧ ଥାଉ ରୋଗୀଙ୍କୁ ଏଥିରୁ ବଂଚିତ କରାଯାଉଥିବା ଅଭିଯୋଗ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବହାର ଯୋଗ୍ୟ ହୋଇ ନପାରି ଉକ୍ତ ସରଂଜାମ ବର୍ତ୍ତମାନ ଖତ ଖାଇବାକୁ ଯାଉଛି । ଅଭିଯୋଗ ଅନୁଯାୟୀ ଦନ୍ତ ଚିକିତ୍ସା ନିମନ୍ତେ ସମସ୍ତ ସରଂଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଥିଲେ ସୁ୍‌ଧା ଏହା କାର୍ଯ୍ୟରେ ଲାଗି ନପାରି ଖତ ଖାଉଛି । ଦାନ୍ତ ଉପାଡ଼ିବାକୁ ହେଲେ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ଉକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିଯୁକ୍ତି ପାଇଥିବା ଡ଼ାକ୍ତର ଜଣକ ବିଭିନ୍ନ ଆଳ ଦେଖାଇ ରୋଗୀଙ୍କୁ ଉକ୍ତ ସେବାରୁ ବଂଚିତ କରୁଛନ୍ତି । ଉକ୍ତ ବିଭାଗକୁ ସରକାରଙ୍କ ତରଫରୁ ବର୍ତ୍ତମାନ ବିଭିନ୍ନ ଉପକରଣ ଆସିଥିଲେ ସୁଦ୍ଧା ବିଭାଗୀୟ ଉାକ୍ତର ଏହାକୁ ଗ୍ରହଣ କରୁନଥିବା ଜଣାପଡ଼ିଛି । ସେଯିପରି ଫିଜିଓଥେରାଫି ପାଇଁ ସମସ୍ତ ସରଂଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଥିଲେ ସୁଦ୍ଧା ରୋଗୀ ଉକ୍ତ ସେବା ପାଇବାରୁ ବଂଚିତ ହେଉନ୍ତି । ଅଧିକାଂଶ ରୋଗୀ ଫିଜିଓଥେରାଫିର ସୁବିଧା ବିଷୟରେ ଜାଣି ନଥିବା ପ୍ରକାଶ କରନ୍ତି । ସେହିପରି ସରକାର କୋଟିକୋଟି ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କରୁଥିବା ବେଳେ ଗୃହ ସମସ୍ୟାର ଆଳ ଦେଖାଇ ରେଗାୀଙ୍କୁ ବହୁ ସେବାରୁ ବଂଚିତ କରାଯାଉଛି । ଯେପରିକି ସରକାରଙ୍କ ନିୟମାନୁସାରେ ପ୍ରତିମାସରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସ୍ଥଳେ କିଛି ମାସ ହେବ ଏହା ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଯୋଜିତ ହେଉଛି । ଯଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ରରେ ଓଟିର ସୁବିଧାରୁ ରୋଗୀଙ୍କୁ ବଂଚିତ କରାଯାଉଛି । ଯଦ୍ୱାରା ଓଟିରେ ଥିବା ଲକ୍ଷାଧିକ ଟଙ୍କାର ସରଂଜାମ ମଧ୍ୟ ନଷ୍ଟ ହେବାକୁ ଯାଉଛି । ସବୁ ସୁବିଧା ଥାଇ ବିଭିନ୍ନ କାର୍ଯ୍ୟକ୍ରମକୁ କେଉଁ କାରଣରୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉଛି । ତାହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ନିଯୁକ୍ତି ପାଇଥିବା ସ୍ଥଳେ ପ୍ରସୂତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି ।

ଏହିପରି ଏକ ଅଭିଯୋଗ ଆଣିଛନ୍ତି ଅଣିଜୋ ପଂଚାୟତ ଅନ୍ତର୍ଗତ ବିରିଡ଼ିହି ଗ୍ରାମର ଅଭିମନ୍ୟୁ । ଗତ ରବିବାର ତାଙ୍କ ସ୍ତ୍ରୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସେ ସଂଧ୍ୟାରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଉପସ୍ଥିତ ଡ଼ାକ୍ତର ୨/୩ ଘଣ୍ଟା ରଖିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ଉକ୍ତ ମହିଳା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହୋଇ ମୃତ୍ୟୁ ବରଣ କରିଥିଲେ । ଯେହେତୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ତେଣୁ ସରଂଜାମ ମହଜୁଦ ଥାଇ ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ସେଥିରୁ ବଂଚିତ କରିବା କେତେଦୂର ଯୁକ୍ତି ସଂଗତ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଭିତ୍ତି ଭୁମିର ବିକାଶ ଆଳରେ ରୋରୀଙ୍କୁ ସେବାରୁ ବଂଚିତ ନକରି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ସରଂଜାମକୁ ନଷ୍ଟ ମଧ୍ୟ ନକରି ରୋଗୀ ସେବାରେ ବ୍ୟବହାର କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିରହିଥିବା ଉକ୍ତ ସମସ୍ୟାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା ।