Untitled 144 750x430

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟୀ ହେଲା ଟିମ୍ ଇଣ୍ଡିଆ

National & International sports

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଶେଷ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିଛି ରୋହିତ ବାହିନୀ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ। ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।

୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆଜି ଖେଳ ଆରମ୍ଭରୁ ସହଳ ୱିକେଟ ହରାଇ ସଙ୍କଟରେ ପଡିଥିଲା । ରୋହିତ ଅର୍ଦ୍ଧଶତକ କରି ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ତେବେ ଧ୍ରୁବ ଓ ଶୁଭମନ ଗିଲ ଭାରତର ଇନିଂସକୁ ସମ୍ଭାଳିଥିଲେ । ଉଭୟ ବେଶ ସର୍ତକତାର ସହ ବ୍ୟାଟିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ ଓ ଧ୍ରୁବ ଯଥାକ୍ରମେ ୫୨ ଓ ୩୯ ରନ୍ କରିଥିଲେ ।

୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ସିରିଜ ହାତେଇଛି ରୋହିତ ବାହିନୀ । ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୩୦୭ ରନ୍ କରି ୪୬ ରନରେ ପଛୁଆ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଯାଦୁଗରୀ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲେ ଇଂଲଣ୍ଡର ବ୍ୟାଟର । ମାତ୍ର ୧୪୫ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଯାହା ଫଳରେ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ଯାହାକୁ ବେଶ ସହଜରେ ହାସଲ କରିଛି ଟିମ୍ ଇଣ୍ଡିଆ ।