Whatsapp Image 2024 02 23 At 7.21.26 Pm

ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ସ୍ୱର୍ଗତଃ ବିମଳ ଲୋଚନ ଦାସଙ୍କ ସ୍ମୃତି ଚାରଣ ସଭା ଓ ସମ୍ବର୍ଦ୍ଧନା ସମାରୋହ

State

ବାରିପଦା : ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ଓଡିଶାର ସମବାୟ ଆନ୍ଦୋଳନର ଅଗ୍ରଦୂତ, ବାରିପଦାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜ ସେବୀ ଓ ବରିଷ୍ଠ ସାମ୍ବାଦିକ ବିମଳ ଲୋଚନ ଦାସଙ୍କ ମହା ପ୍ରୟାଣ ଦିବସ ଅବସରରେ ଏକ ସ୍ମୃତି ଚାରଣ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହୋଟେଲ୍ ଅମ୍ବିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ଡା. ପାର୍ଥସାରଥି ଜେନା ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ପ୍ରତିଶ୍ରୁତି ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଭାଗବତ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସ୍ୱର୍ଗତ ଦାସଙ୍କ କର୍ମମୟ ଜୀବନ ଆଦର୍ଶଗତ ଆଚରଣ ପରୋପକାରୀ ମନୋବୃତି ତଥା ତ୍ୟାଗପୂତ ଭାବନା ସମ୍ପର୍କରେ କହିଥିଲେ । ଏହି ସ୍ମୃତି ଚାରଣ ସଭାରେ ସମ୍ମାନିତ ଅତିଥି ତଥା ବରିଷ୍ଠ ସାମ୍ବାଦିକ ଓ ଶିଶୁ ସାହିତ୍ୟର ଗବେଷକ ଡ. ବିଜୟ କୁମାର ଅଗରୱାଲା ବିମଲ ବାବୁଙ୍କ ସହିତ ତାଙ୍କ ପାରିବାରିକ ସମ୍ପର୍କ ବିଷୟରେ ବର୍ଣ୍ଣନା କରି ସେ ଜଣେ ମଣିଷ ପରି ମଣିଷ ଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ରାଜକିଶୋର ଆଚାର୍ଯ୍ୟ ସମବାୟ କ୍ଷେତ୍ରରେ ବିମଳ ବାବୁଙ୍କ ବିଚକ୍ଷଣ ଅଭିଜ୍ଞତା ରହିଥିଲା ବୋଲି ବର୍ଣ୍ଣନା କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ବାରିପଦା ପୌରପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିମଳ ବାବୁଙ୍କ ଜୀବନାଦର୍ଶ ଓ ସୁଗୁଣର ଅବତାରଣା କରି ବାରିପଦାରେ ଛୋଟ ବଡ ବ୍ୟବସାୟୀ କିଭଳି ଭାବେ ଅର୍ବାନ ବ୍ୟାଙ୍କର ସାହାଯ୍ୟ ପାଇ ନିଜର ଗୁଜୁରାଣ ମେଣ୍ଟାଇବା ସହ ପ୍ରତିଷ୍ଠିତ ହୋଇଛନ୍ତି ତାହା ବର୍ଣ୍ଣନା କରି ସେ ବିମଳ ବାବୁଙ୍କ ଆଶିର୍ବାଦ ପାଇଁ ଆଜି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି ବୋଲି କହିଥିଲେ ।

Whatsapp Image 2024 02 23 At 7.19.18 Pm

ଏହି ଅବସରରେ ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କରଞ୍ଜିଆର ଭୂବନ ବିହାରୀ ସାହୁଙ୍କୁ ବିମଳ ଲୋଚନ ଦାସ ସ୍ମୃତି ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା ଓ ଶ୍ରୀ ସାହୁ ମଧ୍ୟ ବିମଳ ବାବୁଙ୍କ ଆଦର୍ଶଗତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଡ.ଶ୍ୟାମସୁନ୍ଦର ଦାସ, ଅଧ୍ୟାପକ ଦୋଳ ଗୋବିନ୍ଦ ମହାନ୍ତ ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିବା ବେଳେ ସୁଧାମୟୀ ଦାସ, ଭଗବତୀ ଦାଶ, ପ୍ରଦୀପ କୁମାର ନାୟକ, ରତ୍ନାକର ତ୍ରିପାଠୀ, ଭାସ୍ୱତୀ ପଣ୍ଡା ପ୍ରମୁଖ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସଭାରେ ଅଜିତ କୁମାର କବାଟ, ନରସିଂହ ବାରିକ, ବିଜୟ କୁମାର ମହାନ୍ତି, ରଘୁନାଥ ପଣ୍ଡା, ବଂଶିଧର ପାଲବାବୁ, ବିକ୍ରମ କେଶରୀ ଜେନା, ଅସୀମ କୁମାର ଚକ୍ରବର୍ତୀ, ଦୋଳଗୋବିନ୍ଦ ଦାଶ, ଶ୍ରୀହରି ଦତ, ପ୍ରଦୀପ କୁମାର ଦାସ, ସୁରେଶ କୁମାର ପାଣିଗ୍ରାହୀ, ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଦୀପକ କୁମାର ତ୍ରିପାଠୀ, ଡ. ଭକ୍ତହରି ମହାନ୍ତ, ଡ. ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଡ. ଦୀପଙ୍କର ମିଶ୍ର ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭାପତି ଡା. ଜେନା ବିମଳ ବାବୁଙ୍କର ସାଧାରଣ ଲୋକଙ୍କ ପ୍ରତି ଅବଦାନ ସମ୍ପର୍କରେ ବଖାଣିଥିଲେ । ପରିଶେଷରେ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।