ସୁନ୍ଦରଗଡ: ବେଆଇନ ଖଣିର ତଦନ୍ତ ପାଇଁ ଆଜି ସୁନ୍ଦରଗଡର ତେଲେନଡିହିରେ ପହଞ୍ଚିଛି ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ଆଜି ଭୁବନେଶ୍ବରରୁ ଖଣି ଏବଂ ଭୂତତ୍ତ୍ବ ବିଭାଗର ଏକ ନଅ ଜଣିଆ ଟିମ୍ ଆସି ବେଆଇନ କୋଇଲା ଖଣି ଗୁଡ଼ିକ ବୁଲି ଦେଖିବା ସହ ମାପଚୁପ କରିଛନ୍ତି । ସାଙ୍ଗରେ ହେମଗିରି ତହସିଲଦାର ସାରିକାରାଣୀ ଧମେଲ, ଆରଆଇ ,ବନବିଭାଗ ରେଞ୍ଜ ଅଫିସର ଅଛନ୍ତି।
ଆକଳନ ପରେ ଜଣା ପଡ଼ିବ ପ୍ରକୃତରେ କେତେ କୋଇଲା ଚୋରା ଚାଲାଣ ହୋଇଛି । ଏହି ଟିମ ପ୍ରଥମେ ତେଲେନଡିହି ରାଜସ୍ବ ଜଙ୍ଗଲରେ ଖଣି ମାପ କରିଥିଲେ । ତେବେ ଆଜି ପ୍ରାୟ ୧୬ଟି ବେଆଇନ ଖଣିରେ ଆକଳନ କରିଥିବା ବେଳେ ଆସନ୍ତା କାଲି ପୁଣି ଏହି ଟିମ ଗ୍ରାଉଣ୍ଡ ଜିରୋରେ ଆକଳନ କରିବ ।
ରାଉରକେଲା ଖଣି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ ଓ ୨୫୦ ଟନରୁ ଊର୍ଦ୍ଧ୍ୱ ବେଆଇନ କୋଇଲା ଜବତ କରିଛନ୍ତି ।
ଖଣି ଲୁଟ ହେଉଥିବା ତେଲେନଡିହି ଓ ରତନସରା ଜଙ୍ଗଲ ବସୁନ୍ଧରା ୱେଷ୍ଟ କୋଇଲା ବ୍ଲକ ଏମସିଏଲକୁ ଆବଣ୍ଟନ ହୋଇଥିଲା । ତେବେ ଖଣି ଆରମ୍ଭ ନହେବା ଆଗରୁ ଏହି ଅଞ୍ଚଳ ଏବେ ମାଫିଆଙ୍କ କବଜାରେ । ଏହି ଅଞ୍ଚଳରେ ଖଣିକୁ ସୁରକ୍ଷା ଦେବା ଏମସିଏଲର ମଧ୍ୟ ଉତ୍ତରଦାୟିତ୍ଵ ଅଟେ । ତେଣୁ ଏନଫୋର୍ସମେଣ୍ଟ ଟିମ୍ ଏମସିଏଲ ସିଆରମାଲ କୋଇଲା ଖଣି ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ପ୍ରକାଶ କୁମାର ଓଝାଙ୍କୁ ଡାକି ତାଗିଦ କରିଛନ୍ତି ।
ଏହି ଟିମରେ ଦୁଇ ଜଣ ଖଣି ଉପ ନିର୍ଦ୍ଦେଶକ, ଜଣେ ଭୂତତ୍ତ୍ବ ଉପ ନିର୍ଦ୍ଦେଶକ, ଜଣେ ଖଣି ଅଧିକାରୀ ଏବଂ ପାଞ୍ଚ ଜଣ ପୋଲିସ କର୍ମୀ ରହିଛନ୍ତି । ଶହଶହ ସଂଖ୍ୟାରେ ଥିବା ଏହି ଛୋଟବଡ଼ ବେଆଇନ ଖଣିଗୁଡ଼ିକ ଉପରେ ଚଢ଼ଉ କରିବା ପାଇଁ ସରକାର ଏକ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରିଛନ୍ତି।