Onn 3

ବାହାଘର ବେଳେ ବାଇଗଣ ରୁଆ, ମୌସୁମୀ ଆସିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନ

State

ନିଶ୍ଚିନ୍ତକୋଇଲି: ବାହାଘର ବେଳେ ବାଇଗଣ ରୁଆ ପରି ମୌସୁମୀର ଆଗମନରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ÷ଆବାସ ଯୋଜନା କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ବଂଟନ କରାଯିବା ଘଟଣାଟି ହିତାଧିକାରୀ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଅବେଳାରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା ଯୋଗୁ ହିତାଧିକାରୀମାନେ ଆର୍ଥୀକ ଶୋଷଣର ଶୀକାର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।ସରକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଗୃହ ନିର୍ମାଣ ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ମୌସୁମୀ ବାୟୁ ପ୍ରବେଶ କରିବା କାରଣରୁ ମଧ୍ୟାହ୍ନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଡଘଡି ସହ ମୂଷଳଧାରାରେ ମେଘ ବର୍ଷିଥିଲା । ଏହି ସମୟରେ ନିଶ୍ଚିନ୍ତକୋଇଲି ବ୍ଳକ ପ୍ରଶାସନ ତରଫରୁ ଅତ୍ୟନ୍ତ ତରବରିଆ ଭାବେ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା । ତେବେ କେନ୍ଦ୍ରସରକାର ଯୋଗାଇ ଦେଇଥିବା ଏହି ଆବାସ ବଂଟନ ସଭାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି କାର୍ଯ୍ୟାଦେଶ ପ୍ରଦାନ କରିବେ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଥିଲା ।

ତେବେ ବିଧାୟକ ଶ୍ରୀ ଜେନା ଏହି ସଭାକୁ ଆସିନଥିଲେ । ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ , ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଓ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ନିଶ୍ଚିନ୍ତକୋଇଲି ବ୍ଳକର ୨୭ଟି ଗ୍ରାମପଂଚାୟତର ୯୦୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ତେବେ ମୌସୁମୀ ପ୍ରବେଶ କରିଥିବାରୁ ସ୍ଥାନୀୟ ନଦୀ ଗୁଡିକରେ ପାଣି ଆସିବା ଆରମ୍ଭ ହେଲାଣି । ଫଳରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ବାଲି ମିଳିବା କାଠିକର ପାଠ ହେବ । ଯଦିଓ ବାଲି ମିଳିବ ତାହା ପୁଣି ଚୋରାରେ ଓ ଚଢା ଦରରେ । ସେହିପରି ଭାବେ ବର୍ଷା ଋତୁରେ ମଧ୍ୟ ଇଟା ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହୋଇପଡିବ । ଗୋଡି ଇଟା ଓ ବାଲିର ମୂଲ୍ୟ ବଢିଯିବା କାରଣରୁ ହିତାଧିକାରୀମାନେ ଗୃହ ନିର୍ମାଣ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ହିତାଧିକାରୀମାନେ ଗୃହ ନିର୍ମାଣ ନିମନ୍ତେ ଆର୍ଥୀକ ଶୋଷଣର ଶୀକାର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ସରକା୍‌ଙ୍କ ଗୃହ ନିର୍ମାଣ ନିମନ୍ତେ ପ୍ରଦତ ଅର୍ଥ ଗୃହ ପୂର୍ଣ୍ଣାଙ୍ଗ ନେଇ ଅନିଶ୍ଚିତତା ଦେଖାଦେଇପାରେ ବୋଲି ହିତାଧିକାରୀ ମହଲରେ ମତପ୍ରକାଶ ପାଇଛି ।