Photo For The News Of Road

ଅଡ଼ାଳପଙ୍କ-ବଧିଗଡ଼ିଆ ରାସ୍ତା ଅବସ୍ଥା ଶୋଚନୀୟ

State

ଆଗରପଡ଼ା :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମାଧ୍ୟମରେ ଗାଁଠୁ ସହର ପର୍ଯ୍ୟନ୍ତ କଂକ୍ରିଟ ଓ ପିଚୁ ରାସ୍ତାମାନ ନିର୍ମାଣ କରାଯାଉଥିଲେ ସୁଦ୍ଧା ଅଡ଼ାଳପଙ୍କ-ବଧିଗଡ଼ିଆ ରାସ୍ତାଟି ମୋରମ ହୋଇପାରିନାହିଁ । ଅଡ଼ାଳପଙ୍କ ଠାରୁ ବଧିଗଡ଼ିଆକୁ ଲମ୍ବିଥିବା ପ୍ରାୟ ଦୁଇ କି.ମି. ଦୂରବର୍ତ୍ତି ରାସ୍ତା ଆବଶ୍ୟକୀୟ ମରାମତି ଅଭାବରୁ ଶୋଚନୀୟ ଭାବେ ଖରାପ ହୋଇ ପଡ଼ିରହିଛି । ଏହି ମାଟି ରାସ୍ତାଟିର ସଂକୀର୍ଣ୍ଣତା ଯୋଗୁଁ ଗାଁ ଲୋକମାନେ ଯାଆଆସ କରିବାରେ ନାନାଦି ଦୁଃର୍ଦ୍ଦଶା ଭୋଗକରୁଛନ୍ତି । ଏଥିପାଇଁ ତାଙ୍କୁ ଅଧିକ ରାସ୍ତା ଦେଇ ବୁଲି ଅଡ଼ାଳପଙ୍କ ବଜାରକୁ ଆସିବାକୁ ପଡ଼ୁଛି । ଯାହା ସମୟସାପେକ୍ଷ ଓ କଷ୍ଟ ଦାୟକ । କିନ୍ତୁ ଏହି ସବୁ ସମସ୍ୟାର ଅନ୍ତ ଘଟିବା ନେଇ ଗାଁ ଲୋକମାନେ ସନ୍ଦିହାନ ହୋଇପଡ଼ିଛନ୍ତି ।

ବଧିଗଡ଼ିଆ ଗ୍ରାମବାସୀମାନେ ଦୈନଦିନ ହାଟ ସୈାଦା ଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟ ପାଇଁ ଅଡ଼ାଳପଙ୍କକୁ ଆସିଥାନ୍ତି । ଏଠାରେ ହାଇସ୍କୁଲ ଥିବାରୁ ପ୍ରତିଦିନ ପିଲାମାନେ ପାଠ ପଢିବାକୁ ଆସିଥାନ୍ତି । ହରିଜନ ବହୁଳ ଏହି ଗ୍ରାମ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ତା ଯୋଗୁଁ ଲୋକେ ଯାଆଆସ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ଓ ପିଲାଙ୍କ ପାଠପଢାରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ରାସ୍ତାର ସ୍ଥାୟୀ ମରାମତି କରିବା ପାଇଁ ଗ୍ରାମବାସୀମାନେ ଲୋକପ୍ରତିନିଧିମାନଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ସେମାନେ ଏଥିପ୍ରତି ଆଦୈା କର୍ଣ୍ଣପାତ କରୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।