Photo For The News Of Tahasil

ପ୍ରତିଷ୍ଠାକୁ ୨୭ବର୍ଷ ପୂରିଲା, ଅବହେଳିତ ବନ୍ତ ତହସିଲ, ବର୍ଷାଧିକ କାଳ ପରେବି ମାମଲାର ହୋଇପାରୁନି ଫଇସଲା

State

ଆଗରପଡ଼ା :ବନ୍ତ ବ୍ଲକ ସଦର ମହକୁମାରେ ଥିବା ବନ୍ତ ତହସିଲର ପ୍ରତିଷ୍ଠାକୁ ଇତି ମଧ୍ୟରେ ୨୭ ବର୍ଷ ପୂରିବା ସହ ନୂତନ ଗୃହ ନିର୍ମାଣର ଶୁଭ ଉଦ୍‌ଘାଟନକୁ ୧୪ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ଏହାର ରୂପରେଖରେ କୌଣସି ପରିବର୍ତ୍ତନ ହୋଇପାରୁନଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଉକ୍ତ କାର୍ଯ୍ୟାଳୟ ଉପରେ ୬ଟି ଆରାଇ ସର୍କଲ ,୨୦୬ଟି ରାଜସ୍ୱ ଗ୍ରାମର ଏକଲକ୍ଷ ଜନ ସଂଖ୍ୟା ନିର୍ଭର କରିଥାନ୍ତି । ବର୍ଷବର୍ଷ ଧରି କର୍ମଚାରୀଙ୍କ ଅଭାବ ପରିପୂରଣ ହୋଇପାରୁନଥିବାରୁ ଏହି କାର୍ଯ୍ୟାଳୟ ଅଧିନରେ ୧୪ରୁ ଊର୍ଦ୍ଧ୍ୱ ବିଭାଗ ଥିବା ବେଳେ ବିଭିନ୍ନ କାର୍ଯ୍ୟ ସୁଚାରୁରୁପେ ସଂପାଦନ ମଧ୍ୟ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଫଳରେ ବହୁ ଦୂରଦୁରାନ୍ତରରୁ ବିଭିନ୍ନ କାର୍ଯ୍ୟନେଇ ତହସିଲକୁ ଆସୁଥିବା ଲୋକେ ନିରାଶରେ ଫେରୁଛନ୍ତି । ଏହି କାର୍ଯ୍ୟାଳୟରେ କିରାଣୀ ଓ ଅମିନଙ୍କ ଅଭାବ ଦୀର୍ଘବର୍ଷ ହେବ ପରିଲକ୍ଷିତ ହେଉଛି । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବର୍ଷବର୍ଷ ଧରି ପଡ଼ିରହିଥିବା ମାମଲାର ବିଚାରରେ ଅହେତୁକ ବିଳମ୍ବ ହେଉଛି । ଉକ୍ତ କାର୍ଯ୍ୟାଳୟରେ ଚାରିଜଣ ଅମିନଙ୍କ ଆବଶ୍ୟକତା ଥିବା ବେଳେ ଦୁଇଜଣ ଅମିନଙ୍କଦ୍ୱାରା ସମସ୍ତ କାର୍ଯ୍ୟ ସଂପାଦନରେ ସମସ୍ୟା ଦେଖାଯାଉଛି । ପୂର୍ବ ବର୍ଷରୁ ପଡ଼ିରହିଥିବା ଶତାଧିକ ଡ଼ିମାର୍କେସନ ମାମାଲାର ଫଇସଲା ହୋଇପାରୁନି ।

ବର୍ତ୍ତମାନ ଅନଲାଇନରେ ସମସ୍ତ କାର୍ଯ୍ୟ କରାଯାଉଥିବାବେଳେ କମ୍ପ୍ୟୁଟର ଦାୟୀତ୍ୱରେ ଥିବା ତିନିଜଣ ଡ଼ାଟାଏଣ୍ଟ୍ରି ଅପରେଟରଙ୍କ ମଧ୍ୟରୁ ଜଣକୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ କମ୍ପ୍ୟୁଟରରେ ହେଉଥିବା ଖତିଆନ,ବିଭନ୍ନ ମାମାଲାର ଆଦେଶ,ରେକଡ଼ପତ୍ର ସଂଶୋଧନ, ସ୍ଥାୟୀ ବାସିନ୍ଦା,ଜାତିଗତ,ଅର୍ଥନୈତିକ,ଉତ୍ତରାଧିକାରୀ ,ଜନ୍ମ ଓ ମୃତ୍ୟୁ ଆଦେଶ ପ୍ରଦାନରେ ନାନା ସମସ୍ୟା ଦେଖାଯାଉଛି । ସେହି ପରି ଉକ୍ତ କାର୍ଯ୍ୟାଳୟରେ ଗତ ତିନିବର୍ଷ ହେବ ପ୍ରୋସେସର (ନୋଟିସର) ପଦବି ଶୁନ୍ୟ ପଡ଼ି ଥିଲେ ମଧ୍ୟ ତାହା ପୁରଣ ହେଉନି । ଫଳରେ ବିଭିନ୍ନ ମାମଲାରେ ବିଚାର ପାଇଁ ପକ୍ଷମାନଙ୍କ ଉପରେ ନୋଟିସ ଜାରୀରେ ନାନା ସମସ୍ୟା ସୃଷ୍ଟି ହେଉଛି । ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିରେ ଉନ୍ନତି ଆସିବା ସହ ସେଗୁଡ଼ିକ ରୂପାନ୍ତରିତ ହୋଇପାରିଥିବା ବେଳେ ଊକ୍ତ କାର୍ଯ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିରେ ଉନ୍ନତି ଆଜି ପର୍ଯ୍ୟନ୍ତ ହୋଇପାରିନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ସରକାରଙ୍କ ଏହା ଏକ ଗୁରୁତ୍ୱ ପୂର୍ଣର୍ ବିଭାଗ ହୋଇଥିବାରୁ ଉକ୍ତ କାର୍ଯ୍ୟାଳୟରେ ଆବଶ୍ୟକୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ବର୍ଷାଧିକ କାଳ ପରେବି ଫଉସଲା ନହୋଇ ପଡ଼ିରହୁଥିବା ମାମଲାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।