Wer

ଦେବରକୁଣ୍ଡ ମେଳା ପାଇଁ କାଉପୁର ଚଳଚଂଚଳ

Religion and Cult State

ଆଗରପଡ଼ା :ଭଦ୍ରକ ଜିଲ୍ଲା ସଦର ମହକୁମାରୁ ୧୦ କି.ମି. ଦୂର ସାଳନ୍ଦୀ ନଦୀ କୂଳରେ ଗଢି ଉଠିଛି କାଉପୁର ପଞ୍ଚାୟତ । ତିନି ଯୁଗର ଗାରିମା ଯଥା: ସତ୍ୟ ଯୁଗର ବିରଞ୍ôଚନାରାୟଣ ମନ୍ଦିର , ତ୍ରେତୟାର ସୀତା କୁଣ୍ଡ ଓ ଦ୍ୱାପରର ଭୀମ ଚୁଲିକୁ ଏହି କାଉପୁର ନିଜ କୋଳରେ ଧରି ଗର୍ବ ଅନୁଭବ କରିବା ସହ ଏ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମଙ୍ଗଳବାର ଭୈାମି ଏକାଦଶୀ ତିଥିରେ ପ୍ରସିଦ୍ଧ ଦେବରକୁଣ୍ଡ ମେଳା ଆରମ୍ଭ ହୋଇଛି । ଜନସମାଗମ ସହ ଭକ୍ତମାନେ କୁଣ୍ଡରେ ସ୍ନାନ କରି ଫୁଲ ଫଳ ଆଦି ଧରି ବିରଞ୍ôଚନାରାୟଣ ମନ୍ଦିର,ବଟକେଶ୍ୱର ମନ୍ଦିର ଆଦି ଦର୍ଶନ କରି ନିଜର ଶୁଭ କାମନା ପାଇଁ ପ୍ରାର୍ଥନା କରିଥିଲେ । ଜନଶ୍ରତି କହେଯେ : ତ୍ରେତୟାରେ ପିତ୍ରୁ ସତ୍ୟ ରକ୍ଷା କରି ପ୍ରଭୁ ରାମ ଚନ୍ଦ୍ର ବନବାସ ଜୀବନ ଅତିବାହିତ କରୁଥିବା ବେଳେ ଦିନେ କାଉପୁର ଦେଇ ଯିବା ସମୟରେ ବସନ୍ତ ଋତୁରେ ପଳାସ ବନର ଶୋଭାରେ ବିମୁଗ୍ଧ ହୋଇ ସେହିଠାରେ ଥିବା ବିରଞ୍ôଚନାରାୟଣ ମନ୍ଦିରରେ ରାତ୍ରି ଯାପନ କରିଥିଲେ । ପ୍ରଭାତରେ ମାତା ସୀତା ସ୍ନାନ କରିବା ନିମନ୍ତେ ଜଳ ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କୁ ନିବେଦନ କରିଥିଲେ । ସ୍ଥାନଟି ମାଳଭୂମି ସଦୃଶ ଥିବାରୁ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ଜଳ ବନ୍ଦୋବସ୍ତ ପାଇଁ ଆଦେଶ ଦେଇଥିଲେ । ପରେ ସେହି ମାଳ ଭୂମିରେ ଲକ୍ଷ୍ମଣ ତୀର ବିଦ୍ଧ କରି ଏକ କୁଣ୍ଡ ଖନନ କରିଥିଲେ । ପରେ ମାତା ସେହି କୁଣ୍ଡର ଜଳରେ ସ୍ନାନ କରିଥିଲେ । ସେହି ଦିନ ଠାରୁ ଉକ୍ତ କୁଣ୍ଡର ନାମ “ସୀତା କୁଣ୍ଡ” ବା “ଦେବର କୁଣ୍ଡ” ନାମରେ ନାମିତ । ମକର କିମ୍ବା କୁମ୍ଭ ମାସରେ ଭୈାମୀ ଏକାଦଶୀରେ ପ୍ରାତଃ କାଳରୁ ରାତ୍ର ମଧ୍ୟରେ ଉକ୍ତ କୁଣ୍ଡରେ ସ୍ନାନ କଲେ, କୁଣ୍ଡର ଦୈବୀ ଆକର୍ଷଣ ଶକ୍ତି ବଳରେ ସବୁ ପାପ, ରୋଗ ବୈରାଗ ଆଦି ଭଲ ହେବା ସହ ବୈକୁଣ୍ଠ ପ୍ରାପ୍ତ ହୋଇ ପ୍ରଭୁ ବିଷ୍ଣୁଙ୍କର ଦର୍ଶନ ଲାଭ ହେବା ସହ ଜମଦଣ୍ଡରୁ ମୁକ୍ତି ମିଳି ସ୍ୱର୍ଗପୁରିରେ ମହା ସୁଖ ପ୍ରାପ୍ତ ହୋଇଥାଏ ବୋଲି ଜନଶ୍ରତି କହେ । ଭୈାମୀ ଏକାଦଶୀରେ ଏହି ସ୍ଥାନରେ ବହୁ ଜନସମାଗମ ହୋଇଥାଏ ।

ଭକ୍ତମାନେ କୁଣ୍ଡରେ ସ୍ନାନ କରି ଫୁଲ ଫଳ ଆଦି ଧରି ନଦୀ ପାଶ୍ୱର୍ରେ ଥିବା ବିରଞ୍ôଚନାରାୟଣ ମନ୍ଦିର, ହନୁମାନ ସୂର୍ଯ୍ୟନାରାୟଣ, ବଟକେଶ୍ୱର, ଜଗନ୍ନାଥ ମନ୍ଦିର ଦର୍ଶନ କରି ନିଜର ଶୁଭକାମନା ପାଇଁ ପ୍ରାର୍ଥନା କରିଥାନ୍ତି । ଏଥିସହ ଦ୍ୱାପର ଯୁଗର ଗାରିମାକୁ ଯଥା : ଭୀମ ଚୁଲି , ଭୀମ ଗଦା, ଅଜଣା ବୃକ୍ଷ, ଆଣ୍ଠୁଆ ଗଡ଼ିଆ ଓ ପାଦୁଆ ଗଡ଼ିଆ ଆଦି ଦର୍ଶନ କରିଥାନ୍ତି । ସ୍ଥାନୀୟ ଗ୍ରାମବାସୀ ଓ ଭକ୍ତମାନଙ୍କ ମିଳିତ ଉଦ୍ୟମରେ ଏଠାରେ ଏକ ଶ୍ରୀରାମ ମନ୍ଦିର ୨୦୧୭ମସିହାରେ ପ୍ରତିଷ୍ଠା କରାଯାଇଛି । ଉକ୍ତ ପୀଠକୁ ଦର୍ଶନ କରିବା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ ବେପାରୀମାନେ ଆସି ତାଙ୍କ ପସରା ମେଲାଇଛନ୍ତି । ପୂର୍ବରୁ ଭୀମପୁର ଗ୍ରାମବାସୀଙ୍କ ଦ୍ୱାରା ଏହି ମେଳା ପରିଚାଳିତ ହେଉଥିବା ବେଳେ ୨୦୧୦ ମସିହା ଠାରୁ ରାମ ମନ୍ଦିର ନିର୍ମାଣ କମିଟି ଦ୍ୱାରା ଏହା ପରିଚାଳିତ ହୋଇ ଆସୁଛି । ପୂର୍ବରୁ ଏହି ମେଳା ୧୫ ଦିନ ଧରି ଚାଲୁଥିବା ବେଳେ କିଛି ବର୍ଷ ହେବ ଏହା ଭୈାମୀ ଏକାଦଣୀରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଛି । ବିଭିନ୍ନ ସଂଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଅଞ୍ଚଳରୁ ବେପାରୀମାନେ ଆସି ତାଙ୍କ ପସରା ମେଲାଇବା ଆରମ୍ଭ କଲେଣି । ଭକ୍ତମାନଙ୍କ ପାଇଁ କୈାଣସି ଶୈାଚାଳୟ, ପାନୀୟ ଜଳ, ବିଶ୍ରାମାଗାର ଆଦିର ବ୍ୟବସ୍ଥା ଏଠାରେ ନାହିଁ । ଏହି ସବୁ ସମସ୍ୟାକୁ ସମାଧାନ କରାଯାଇ ପାରିଲେ ଏହା ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।