Image 2024 02 20t195333.408

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ୍ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

State

ସମ୍ବଲପୁର: ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚନ କରିଥିଲେ । ଏହାସହ ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଆଜି ଓଡ଼ିଶା ପାଇଁ ଗୌରବର ଦିନ । ରାଜ୍ୟ ପାଇଁ ବଡ ସମ୍ମାନ ଓ ରାଜ୍ୟବାସୀଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର କ୍ଷଣ । ଡାକ ଟିକେଟ୍ ଆମର ଅସ୍ମିତା, ଗୌରବ, ସ୍ୱାଭିମାନ, ସମ୍ମାନ ଓ ପରିଚୟର ପ୍ରତୀକ । ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନକୁ ମୋଦି ସରକାରରେ ଉଚିତ୍ ସମ୍ମାନ ମିଳିଛି’ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ମସିହା ଏପ୍ରିଲ ୧ ରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟର ମହାନ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀର ଶତବାର୍ଷିକୀ ମଧ୍ୟ ପାଳନ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହି ସମୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ ହେବା ଗୌରବର ବିଷୟ ।

ସେହିପରି ସନ୍ଥକବି ଭୀମ ଭୋଇ ମହିମା ଧର୍ମର ମହାନ ପ୍ରଚାରକ । ଭୀମ ଭୋଇଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ଆଦର୍ଶ । ତାଙ୍କ ଉପରେ ଡାକ ଟିକେଟ୍ ଉନ୍ମୋଚନ କରି ଭୀମ ଭୋଇଙ୍କୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।