ଆଗରପଡ଼ା:ଶିକ୍ଷାର ମାନ ବୃଦ୍ଧି କରିବା କ୍ଷେତ୍ରରେ ଖେଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହାର ଉନ୍ନତିପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସତୀ ସାବିତ୍ରୀ ବିଦ୍ୟାପୀଠ ଖେଳ ପଡ଼ିଆ ଉନ୍ନତିକରଣରେ । ଉକ୍ତ ସମସ୍ୟାକୁ ନେଇ ‘ଓଏନଏନ’ରେ ବାରମ୍ବାର ଖବର ପ୍ରକାଶ ସତ୍ୱେ ଖେଳ ପଡ଼ିଆ ପିଲାଙ୍କ ଖେଳ ଉପଯୋଗୀ ହୋଇ ନପାରି କେବଳ ଫଳକରେ ସୀମିତ ରହିଯାଇଥିବାରୁ ଏହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସୂଚନା ଅନୁଯାୟୀ;ଗତ ୨୦୧୭-୧୮ ଆର୍ôଥକ ବର୍ଷରେ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସତୀ ସାବିତ୍ରୀ ବିଦ୍ୟାପୀଠର ଖେଳପଡ଼ିଆ ଉନ୍ନତିକରଣ ନିମନ୍ତେ ପଂଚାୟତ ସମିତି ବନ୍ତ ପକ୍ଷରୁ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟାରମ୍ଭ ହୋଇଥିଲା ।
ଉକ୍ତ ପ୍ରକଳ୍ପକୁ ଇତି ମଧ୍ୟରେ ୬ବର୍ଷ ବିତିଯାଇଥିଲେ ସୁଦ୍ଧା ପିଲାଙ୍କ ଖେଳ ଉପଯୋଗୀ ହୋଇ ନପାରି ଉକ୍ତ ଖେଳ ପଡ଼ିଆ କେବଳ ଫଳକରେ ସୀମିତ ରହିଯାଇଛି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନା ମାଧ୍ୟମରେ ଉଚ୍ଚାକାଂକ୍ଷା ବିଦ୍ୟାଳୟମାନ ନିର୍ମାଣ କରୁଛନ୍ତି । ଏହି ଯୋଜନାରେ ଅତ୍ୟାଧୁନିକ ଶ୍ରେଣୀ କକ୍ଷ(୯ମ) , ଅତ୍ୟାଧୁନିକ ଶ୍ରେଣୀ କକ୍ଷ(୧୦ମ),ଅତ୍ୟାଧୁନିକ ପାଠାଗାର ,ବିଜ୍ଞାନ ପ୍ରୟୋଗଶାଳା ,ପାରିପାର୍ଶିକ ଉନ୍ନତି କରଣ,ବିଜ୍ଞାନ ଉପକରଣ,କ୍ରିଡ଼ା ଉପକରଣ,ଇଣ୍ଟରଏକ୍ଟିଭ ପେନାଲ,ଅତ୍ୟାଧୁନିକ ଅଙ୍ଗ ବିଶିଷ୍ଠ ଦ୍ୱିବିଧ ମେଜ ଇତ୍ୟାଦି ବାବଦରେ ଲକ୍ଷାଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି । ୧୯୮୧ ମସିହାରେ ପ୍ରତିଷ୍ଟିତ ଉକ୍ତ ବିଦ୍ୟାପୀଠଟି ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ୟ ପର୍ଯ୍ୟାୟରେ ୫-ଟି ରୂପ।।ନ୍ତରଣ ଯୋଜନାରେ ଅର୍ନ୍ତଭୂକ୍ତ ମଧ୍ୟ ହୋଇଛି । ତେଣୁ ୫-ଟି ରୂପାନ୍ତରଣ ଯୋଜନାର ସଫଳ ରୂପାୟନ ପାଇଁ ଫଳକରେ ସୀମିତ ନରଖି ଉକ୍ତ ଖେଳ ପଡ଼ିଆକୁ ପିଲାଙ୍କ ଖେଳ ଉପଯୋଗୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।