Photo For The News Of Parimala Kendra

ନିର୍ମାଣକୁ ୪ବର୍ଷ ପୂରିଲା, ଗୋଷ୍ଠୀ ପରିମଳ କେନ୍ଦ୍ର ଅଧପନ୍ତରିଆ, ୭ଲକ୍ଷ ପରେବି ଲକ୍ଷ୍ୟ ପୁରୁନି

State

ଆଗରପଡ଼ା :ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ଆଗରପଡ଼ା ବଜାର ଅଂଚଳରେ ଲାଗିରହିଥିବା ପରିମଳ ସମସ୍ୟାକୁ ନେଇ ଖବର ପ୍ରକାଶିତ ହେବା ପରେ ବନ୍ତ ବ୍ଲକ ବଡ଼ମହିଁଷଗୋଠ ଓ ବିଟିପୁର ପଂଚାୟତ ତରଫରୁ ଆଗରପଡ଼ା ବଜାରରେ ୨୦୨୦-୨୧ ଆର୍ଥକ ବର୍ଷରେ ଗରୀବ ରୋଜଗାର ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୨ଗୋଟି ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ଅର୍ଥରେ ଏହା ସଂପୂର୍ଣ୍ଣ ହୋଇନପାରିବାରୁ ପରବର୍ତ୍ତି ମୁହୂର୍ତ୍ତରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପଂଚଦଶ ଆର୍ଥ କମିଶନ ଯୋଜନାରେ ୪ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ୨ଗୋଟି କେନ୍ଦ୍ର ନିର୍ମାଣକୁ ଇତି ମଧ୍ୟରେ ୪ବର୍ଷ ପୂରିବା ଓ ୭ଲକ୍ଷ ଟଙ୍କା ବ୍ୟୟ ହେବା ପରେ ମଧ୍ୟ ଏହା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପାରିପାଶ୍ୱିର୍କ ପରିସ୍ଥିତିକୁ ଆକଳନକୁ ନେଲେ ଏହାର ପୂର୍ଣ୍ଣତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉକ୍ତ ସ୍ଥାନ ନାନା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଦୂଷିତ ପରିବେଶ ସୃଷ୍ଟି କରିବାରେ ଲାଗିଛି । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୁପାୟନ ହୋଇପାରୁନଥିବା ଉକ୍ତ ୨ଗୋଷ୍ଠୀ କେନ୍ଦ୍ରକୁ ଦେଖିଲେ ପ୍ରତିଫଳିତ ହେଉଛି । କାର୍ଯ୍ୟାଦେଶ ଆଣିବା ପରେ ଅର୍ଥ ବ୍ୟୟ କରି କୌଣସି ଯୋଜନାକୁ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଆଗରପଡ଼ା ।

ଏଥି ସହିତ ବାଲେଶ୍ୱର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ହୋଇଥିବାରୁ ପ୍ରତିଦିନ ଏହି ଅଂଚଳ ଦେଇ ବିଭିନ୍ନ ସ୍ଥାନକୁ ଯାନବାହାନ ଚଳାଚଳ କରିଥାଏ । ମାତ୍ର ଏଠାରେ ଆଜିଯାଏ ଗୋଷ୍ଠୀ ପରିମଳ କେନ୍ଦ୍ର ନଥିବାରୁ ବସ ଯାତ୍ରୀ,ଦୋକାନୀଙ୍କ ସମେତ ବଜାରକୁ ଆସୁଥିବା ଲୋକମାନେ ପରିମଳ ପାଇଁ ନାନାଦି ହଇରାଣ ହରକତ ହେଉଥିବାର ପରିଲକ୍ଷିତ ହେଉଛି । ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଯୋଗାେଯୋଗ କରିବାରୁ ସେ ଏହା ଉପରେ ଦୃଷ୍ଟି ଦେବା ସହ ଖୁବ୍ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର ସୂଚନା ଦେଇଥିଲେ । ବିଭାଗୀୟ ଅଧିକାରୀ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଅଧପନ୍ତରିଆ ଗୋଷ୍ଠୀ କେନ୍ଦ୍ର ନିର୍ମାଣକୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବା ପାଇଁ ଚେଷ୍ଟିତ ହେବାକୁ ଅଂଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।