Congress Pakhyaru Bjp And Bjd Ra Bahaghara

କଂଗ୍ରେସ ପକ୍ଷରୁ ବିଜେଡ଼ି ଓ ବିଜେପିର ବାହାଘର

Politics State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବନ୍ଧନ ମଣ୍ଡପ ପରିସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାହାଙ୍ଗା କଂଗ୍ରେସ ନେତା ପ୍ରଦିପ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ବିଜେଡ଼ି ଓ ବିଜେପି ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ବ୍ଲକ ଛକ ନିକଟରୁ ବରକୁ ନେଇ ଏକ ରୋଷଣୀ ଶୋଭାଯାତ୍ରା ମଣ୍ଡପରେ ପହଂଚିଥିଲା । ମଣ୍ଡପରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତି ନୀତି ଅନୁଯାୟୀ ପୁରୋହିତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କି ରାଜ୍ୟରେ ଭାଜପା ଓ ବିଜେଡ଼ି ଲୋକ ଦେଖାଣିଆ ଆରୋପ ପ୍ରତ୍ୟାରୋପ କରୁଥିଲେ ହେଁ ସେମାନଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ଦୃଢିଭୂତ ହୋଇଛି । ଯେପରିକି ଭାଜପା କଥା ରାଜ୍ୟ ବିଜେଡ଼ି ଉଠୁ ବସ ହେଉଛି । ବିବାହ ସମୟରେ ଯେପରି ଝିଅ ପକ୍ଷ ପୁଅ ପକ୍ଷର ସମସ୍ତ ଦାବିକୁ ନିସର୍ତ୍ତ ଭାବେ ଗ୍ରହଣ କରିନିଏ ସେହିପରି ଭାଜପାର ନିର୍ଦ୍ଦେଶକୁ ବିଜେଡ଼ି ନିସର୍ତ୍ତ ଭାବେ ମୁଣ୍ଡ ପାତି ସ୍ୱୀକାର କରିନେଉଛି , ଲାଗୁଛି ସତେ ଯେପରି ବିଜେପିର ପୁଅ ବିଜେଡ଼ିର ଝିଅ କୁ ବିବାହ କରୁଛି । ଇଡ଼ିର ଭୟ ହେଉ ଅବା ସିବିଆଇର ଭୟ ସଦାବେଳେ ଭାଜପା ପାଖରେ ବିଜେଡ଼ି ମୁଣ୍ଡ ନୁଆଁଉଛି । ଯାହାକି ଲୋକସଭା ଓ ରାଜ୍ୟସଭାରେ କୌଣସି ବିଲ ପାରିତ ବେଳେ ବିଜେପିକୁ ବିଜେଡ଼ିର ସମର୍ଥନ ଏହାର ପ୍ରମାଣ ଦେଇଛି , ଯାହାର ଦୃଢ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ବିଜେପି ଏବଂ ବିଜେଡ଼ି ମଧ୍ୟରେ ବିବାହ କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରପିତା ମଥୁରାନନ୍ଦ ଦାସ, କନ୍ୟା ପିତା ବଟକୃଷ୍ଣ ସ୍ୱାଇଁ,ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ରାଉତ,କଂଗ୍ରେସ ଯୁବନେତା ସଂଜୟ କୁମାର ବେହେରା,ଅମୀୟ କୁମାର ବିଶ୍ୱାଳ,ବିଚିତ୍ରାନନ୍ଦ ପଣ୍ଡା,ଶ୍ୟାମସୁନ୍ଦର ମଲିକ,ରବୀନ୍ଦ୍ର ନାୟକ,ରାମଚନ୍ଦ୍ର ମଲିକ,ଶରତଚନ୍ଦ୍ର ଦାସ,ରମେଶ ସାହୁ,ସୁଶିଲ ସ୍ୱାଇଁ,ମନମଥ ଖଟୁଆ,ରମେଶ ଚନ୍ଦ୍ର ବାରିକ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ।