Dhana Mandi

ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ଅମଙ୍ଗ; ବୋନସ ନମିଳିଲେ ଅଧାରୁ ମଣ୍ଡି ବନ୍ଦ ହେବ

State

ଛତିଶଗଡ଼ରେ ୧୦୦୦, ପଶ୍ଚିମବଙ୍ଗରେ ୫୦୦, ଓଡ଼ିଶା ଚାଷୀ ହତାଶ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମୋଟ୍ ୧୩ଟି ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଛି । ନିୟମ ଅନୁଯାୟୀ ଚାଷୀମାନେ ପୂର୍ବରୁ ନାମ ପଞ୍ଚିକରଣ କରି ଏବେ ମଣ୍ଡିରେ ଧାନ ବିକ୍ରି କରିବା କଥା । ମଣ୍ଡି ଖୋଲା ହେଲାବେଳେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ବ୍ୟବସାୟୀଙ୍କ ମୂଲ୍ୟ ର ବ୍ୟବଧାନ ଟିକେ ଅଧିକ ଥିବାରୁ ଥରେ ଦୁଇଥର ଚାଷୀମାନେ ଟୋକନ ଅନୁଯାୟୀ ସଠିକ୍ ପରିମାଣରେ ଧାନ ବିକ୍ରି ପାଇଁ ଆଣିଥିଲେ । ବର୍ତ୍ତମାନ ଧାନ ବ୍ୟବସାୟୀମାନେ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ୧୯୫୦ଟଙ୍କା କରିଦେବା ପରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବାକୁ ଅମଙ୍ଗ ହେଉଛନ୍ତି । ଫଳରେ ଯେଉଁ ଚାଷୀମାନଙ୍କର ଟୁକନ ଆସିଛି ସେମାନେ ସଠିକ୍ ପରିମାଣରେ ଧାନ ମଣ୍ଡିରେ ନବିକ୍ରି କରି ଖୁବ୍ କମ ପରିମାଣରେ ଧାନ ଆଣି ବିକ୍ରି କରୁଛନ୍ତି । ଫଳରେ ଦିନକୁ ଦିନ ମଣ୍ଡିରେ ଧାନ ବିକ୍ରି କମିବାରେ ଲାଗିଛି । ଆଉ ଗୋଟ କିମ୍ବା ଦୁଇଟି ବାରି ପରେ ମଣ୍ଡି ଗୁଡ଼ିକ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିବା ସ୍ପଷ୍ଟ ଦେଖାଦେଇଛି । ଗତବର୍ଷ ମଣ୍ଡି ବନ୍ଦ ହେବା ପରେ ଧାନ ବ୍ୟବସାୟୀମାନେ କ୍ୱିଣ୍ଟାଲ ପିଛା ସରକାରୀ ମୂଲ୍ୟଠାରୁ ୨ଶହରୁ ୩ଶହ ଟଙ୍କା ଅଧିକ ବଢାଇ ଦେଇଥିଲେ । ଚଳିତ ବର୍ଷ ପ୍ରଥମରୁ ବେସରକାରୀ ଭାବେ ଧାନ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଧାନ ମୂଲ୍ୟ ବଢାଇ ଦେଇଥିବା ବେଳେ ଆଗକୁ ଏହା ଆହୁୁରି ଅଧିକ ବୃଦ୍ଧି ହେବ ବୋଲି ଚାଷୀମାନେ ଆଶଙ୍କା କରି ମଣ୍ଡିରେ ଧାନ ବିକ୍ରି କରୁନଥିବା ଜଣାଯାଇଛି ।

ଯଦି ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ଶହରୁ ୫ଶହ ଟଙ୍କା ବୋନସ ଦିଆଯାଆନ୍ତା ତାହେଲେ ସେମାନେ ସଠିକ୍ ଭାବେ ମଣ୍ଡିରେ ଧାନ ବିକ୍ରି କରନ୍ତେ । ଏହି ବର୍ଷ ସରକାରଙ୍କ ଧାନ ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ରହିଛି । ଚାଷୀମାନେ ମଣ୍ଡିରେ ଏହି ଦାମରେ ଧାନ ବିକିଲେ କ୍ଷତି ହେଉଥିବା ବହୁ ଚାଷୀ ପ୍ରକାଶ କରିଛନ୍ତି । ନିୟମ ଅନୁସାରେ କ୍ୱିଣ୍ଟାଲ ଧାନ ପ୍ରତି ଚାଷୀ ୨ଟି ଅଖା ୬୦ଟଙ୍କାରେ କିଣୁଥିବାବେଳେ ଏଥିରେ ଧାନ ଭର୍ତ୍ତି କରିବା, ସେଗୁଡ଼ିକୁ ମଣ୍ଡିକୁ ଗାଡ଼ି ଭଡ଼ା ଦେଇ ବିକ୍ରି ପାଇଁ ଆଣିବା ଏବଂ ମିଲରମାନେ କ୍ୱିଣ୍ଟାଲ ପିଛା ୩କିଲୋ ଧାନ କାଟି ରଖିବା ଇତ୍ୟାଦିରେ ୨ଶହରୁ ୩ଶହ ଟଙ୍କା ଖର୍ଚ୍ଚ ହୋଇଯାଉଛି । ଯାହାଦ୍ୱାରା ସରକାରୀ ମୂଲ୍ୟ ଠାରୁ ବ୍ୟବସାୟୀଙ୍କ ମୂଲ୍ୟ ଅଧିକ ହେଉଛି । ଏଭଳି ସ୍ଥଳେ ଅନ୍ୟ ରାଜ୍ୟମାନେ ଚାଷୀମାନେ ଲାଭବାନ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସର ବ୍ୟବସ୍ଥା ହୋଇଛି । ଓଡ଼ିଶା ସରକାର ଧାନ ବିକ୍ରିରେ ବୋନସ ଦେଉନଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଛତିଶଗଡ଼ ସରକାର କ୍ୱିଣ୍ଟାଲ ଧାନ ପିଛା ୧ ହଜାର ଟଙ୍କା ବୋନସ ଦେଉଥିଲାବେଳେ ପଶ୍ଚିମବଙ୍ଗ ସରକାର ୫୦୦ ଟଙ୍କା ଓ ଆନ୍ଧ୍ର ରାଜ୍ୟରେ ୭୦୦ ଟଙ୍କା ବୋନସ ଦିଆଯାଉଥିବାବେଳେ ଓଡ଼ିଶାରେ କଣ ପାଇଁ ବୋନସ ଦିଆଯାଉନାହିଁ ସେ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି । ଚାଷ କାର୍ଯ୍ୟ ସମୟରେ ବହୁ ଖର୍ଚ୍ଛାନ୍ତ ହୋଇ ଚାଷୀମାନେ ଧାନ ଚାଷ କରିଥିଲା ବେଳେ ବିକ୍ରି ବେଳେ ଏଭଳି ଚାଷୀମାରଣା ନୀତି କରାଯାଉଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ବହୁ ଚାଷୀ ମତପ୍ରକାଶ କରିଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।