Congress Bhawan

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

Politics State

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ କରି ଆଡହକ୍ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମ ଜିଲ୍ଲାକୁ ବିଭକ୍ତ କରି ଗଞ୍ଜାମ ପୂର୍ବ ଜିଲ୍ଲା କଂଗ୍ରେସ ଏବଂ ଗଞ୍ଜାମ ପଶ୍ଚିମ ଜିଲ୍ଲା କଂଗ୍ରେସ, ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରି ମୟୂରଭଞ୍ଜ ପୂର୍ବ ଜିଲ୍ଲା କଂଗ୍ରେସ ଓ ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା କଂଗ୍ରେସ ଗଠନ କରାଯାଇଛି।ଗଞ୍ଜାମ ପୂର୍ବରେ ଦୀପକ ପଟ୍ଟନାୟକ ଓ ଗଞ୍ଜାମ ପଶ୍ଚିମ-ରବୀନ୍ଦ୍ର ଶର୍ମାଙ୍କୁ ଦାୟିତ୍ବ ମିଳିଛି।

ବରଗଡ଼ ଜିଲ୍ଲା ସଭାପତି ଭାବେ ହରଦୀପ ସିଂହଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଢେଙ୍କାନାଳ ପାଇଁ ସୁନିଲ ଦାସ, କନ୍ଧମାଳ ପାଇଁ ଚନ୍ଦ୍ରଶେଖର ପରିଡ଼ା, କୋରାପୁଟରେ ଶଶିଭୂଷଣ ପାତ୍ର, ମୟୂରଭଞ୍ଜ ପୂର୍ବରେ ନିରଜ ଦାସ, ମୟୂରଭଞ୍ଜ ପଶ୍ଚିମରେ ଭୁବନ ବିହାରୀ ସାହୁଙ୍କୁ ବାଛିଛନ୍ତି ଶରତ ପଟ୍ଟନାୟକ। ସେହିଭଳି ଖୋର୍ଦ୍ଧା- ତପନ ଚକ୍ରବର୍ତ୍ତୀ, ବଲାଙ୍ଗୀର- ସୁରେନ୍ଦ୍ର ସିଂହ ଭୋଇ, ରାଉରକେଲା- ରବି ରାୟ, ଝାରସୁଗୁଡ଼ା- ସୁବ୍ରତ ପ୍ରଧାନ, ସମ୍ବଲପୁର ଜିଲ୍ଲା ପାଇଁ ଜୟଶଙ୍କର ମିଶ୍ରଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହି ଜିଲ୍ଲା କଂଗ୍ରେସ ଆଡହକ୍ ସଭାପତିମାନେ ନିଜ ଜିଲ୍ଲାରେ ଦାୟିତ୍ବ ଗ୍ରହଣ କରି ଦଳୀୟ ସଂଗଠନକୁ କିପରି ମଜବୁତ କରାଯାଇପାରିବ ସେ ନେଇ ଅଣ୍ଟା ଭିଡ଼ିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।