Dhana Chalana

ରାଜ୍ୟ ବାହାରକୁ ଚାଲାଣ ବେଳେ ବିପୁଳ ଧାନ ଚାଉଳ ଜବତ

State

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ ବଡକ୍ଷୀର ପଞ୍ଚାୟତ ପଣସପଡିଆଠାରେ ଥିବା ଏକ ଧାନ ଚାଉଳ ଗୋଦାମ ଉପରେ ଚଢାଉ କରାଯାଇଛି । ଏହି ଗୋଦାମରୁ ବିପୁଳ ପରିମାଣରେ ଧାନ ଓ ଚାଉଳ ବାହାର ରାଜ୍ୟକୁ ଚାଲାଣ କରାଯିବା ପାଇଁ ଟ୍ରକ୍‌ରେ ଲୋଡ ହେଉଥିବା ସମୟରେ ସେଗୁଡିକୁ ଜବତ ମଧ୍ୟ କରାଯାଇଛି । ଗୋଦାମ ଗୃହ ଉପରେ ଚଢାଉ କରାଯାଇ ବହୁ ଆପତ୍ତି ଜନକ ଜାଲ୍ କାଗଜପତ୍ର ମଧ୍ୟ ଜବତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅଂଚଳର ଜଣେ ବ୍ୟବସାୟୀ ଦୀର୍ଘ ଦିନ ହେବ ଏଠାରେ ଧାନ ଓ ଚାଉଳ ସଂଗ୍ରହ କରି ଜାଲ କାଗଜପତ୍ର ମାଧ୍ୟମରେ ବାହାର ରାଜ୍ୟକୁ ପଠାଉଥିବାର ଅଭିଯୋଗ ହୋଇଆସୁଥିଲା । ଚଳିତ ବର୍ଷ ଚାଷୀଙ୍କଠାରୁ ଦଲାଲ ମାଧ୍ୟମରେ ଧାନ ସଂଗ୍ରହ କରୁଥିବାରୁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପ୍ରତି ବିମୁଖ ହୋଇଥିଲେ । ଯାହାଦ୍ୱାରା ନିଶ୍ଚିନ୍ତକୋଇଲି ବ୍ଲକଅଂଚଳରେ ମଣ୍ଡି ବନ୍ଦ୍ ହୋଇଯିବାର ଆଶଙ୍କା ଦେଖାଦେଇଥିଲା । ଏ ସଂକ୍ରାନ୍ତରେ ସମାଜରେ ଖବର ପ୍ରକାଶ ପାଇବା ପରେ ଯୋଗାଣ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା । ଉକ୍ତ ବ୍ୟବସାୟୀ ଜଣକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀମାନଙ୍କ ସହିତ ଭିତିରି ସଂପର୍କ ରଖି ତନଖି ପାଟକ ଦେଇ ପ୍ରତ୍ୟେକ ଦିନ ଏକାଧିକ ଧାନ ଓ ଚାଉଳ ଟ୍ରକମାନ ବାହାର ରାଜ୍ୟକୁ ପଠାଇବାରେ ସକ୍ଷମ ହେଉଥିଲେ ।

ଖବର ପାଇବା ପରେ କଟକ ଜିଲ୍ଲା ଯୋଗାଣ ବିଭାଗର ଅତିରିକ୍ତ ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି, ଉପେନ୍ଦ୍ର କୁମାର ଭୋଇ, ସାଗରିକା ରାଉତରାୟ, ରାଜଲକ୍ଷ୍ମୀ ପାତ୍ର, ବ୍ଲକ ଭାରପ୍ରାପ୍ତ ଯୋଗାଣ ଅଧିକାରୀ କେଦାର ପ୍ରଧାନଙ୍କ ନେତୃତ୍ୱରେ ଏହି ଚଢାଉ କାର୍ଯ୍ୟକ୍ରମ କରାଯାଇଥିଲା । ସଂପୃକ୍ତ ବ୍ୟବସାୟୀ ଜଣକ ପ୍ରତ୍ୟେକ ଦିନ ଏତେ ପରିମାଣରେ ଧାନ ଓ ଚାଉଳ କେଉଁଠୁ ଆଣୁଥିଲେ ଏବଂ ଏହାକୁ ବାହାର ରାଜ୍ୟକୁ ପଠାଇବାରେ କେଉଁ ସରକାରୀ କର୍ମଚାରୀମାନେ ତାଙ୍କୁ ଭିତିରି ସହଯୋଗ କରୁଥିଲେ ସେ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଅପରପକ୍ଷରେ ଧାନ ଗୋଦାମରେ ଚଢାଉ ହେବାପରେ ଧାନର ମୂଲ୍ୟ ମଧ୍ୟ ବେସରକାରୀ ସ୍ତରରେ ହ୍ରାସ ହୋଇଥିବା ଜଣାଯାଇଛି । ଏଭଳି ବେଆଇନ ଧାନ ଚାଉଳ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ଦାବି ହୋଇଛି ।