Photo For The News Of Banua (1)

ବଣୁଆଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ପ୍ରସଙ୍ଗ, କାରଣ ଦର୍ଶାଇ ନପାରିବାରୁ ପିଇଓ ଦରମା ପାଇବାରୁ ବଂଚିତ

State

ଆଗରପଡ଼ା :ସୂଚନା ଅଧିକାର ଆଇନବଳରେ କେଉଁ କାରଣରୁ ଜନୈକ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପାଇବାରୁ ବଂଚିତ କରାଗଲା ତାର ସୂଚନା ପ୍ରଥମ ଅପିଲରେ ମଗାଯିବାପରେ,ପ୍ରଥମ ଅପିଲକୁ ବିଚାରକରି ବିଡ଼ିଓ(ପ୍ରଥମ ଅପିଲ ଅଧିକାରୀ) ତତ୍କାଳୀନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜୁନ୍ ମାସର ଦରମାରୁ ବଂଚିତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ତାଜିପୁର ଗ୍ରାମ ଆଦିବାସୀ ସାହିର ବସବାସ କରୁଥିବା ବଣୁଆ ମୁଣ୍ଡା ଜନୈକ ଜନଜାତି ସଂପ୍ରଦାୟର ବ୍ୟକ୍ତି ଆବାସ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜାଣିଶୁଣି ତାଙ୍କ ନାମକୁ ଯୋଗ୍ୟ ହିତାଧିକାରୀ ତାଲିକାରୁ କାଟିଥିଲେ ଏବଂ ଏନେଇ ଅଭିଯୋଗ ହେବା ପରେ ବର୍ତ୍ତମାନ ତାଙ୍କ ନାମକୁ ହିତାଧିକାରୀ ତାଲିକାରେ ଯୋଡ଼ିବାକୁ ଅନୁରୋଧ କରିଥିବା ଜନସୂଚନା ଅଧିକାର ଆଇନବଳରେ ମିଳିଥିବା ସୂଚନାରୁ ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳ ବଣୁଆ ମୁଣ୍ଡାଙ୍କ ଆବାସ ସମ୍ବନ୍ଧୀୟ ବିବରଣୀ ମାଗିଥିଲେ । ପରେ ପଂଚାୟତ ସମିତି ବନ୍ତର ଜନସୂଚନା ଅଧିକାରୀ ତତ୍କାଳୀନ ବ୍ଲକ ପ୍ରୋଗ୍ରାମ କୋର୍ଡ଼ିନେଟର ଅଜାଣତରେ ହିତାଧିକାରୀ ତାଲିକାରୁ ତାଙ୍କ ନାମ କାଟିଦେଇଥିବାର ସୂଚନା ପ୍ରଦାନ କରିଥିଲେ । ପରେ ଶ୍ରୀ ଧଳ ତତ୍କାଳୀନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀଙ୍କ ନାମ ଯୋଗ୍ୟ ହିତାଧିକାରୀ ତାଲିକାରୁ କଟିଯିବା ପରେ ଉକ୍ତ ଘଟଣା ଉପରେ କ’ଣ ପହକ୍ଷେପ ନେଇଥିଲେ ତାହାର ସୂଚନା ପ୍ରଦାନ କରିନଥିବାରୁ ଉକ୍ତ ପ୍ରସଙ୍ଗକୁ ନେଇ ପ୍ରଥମ ଅପିଲ କରିଥିଲେ କିନ୍ତୁ ପ୍ରଥମ ଅପିଲକୁ ବିଚାରକୁ ନେଇ ବିଡ଼ିଓ,ତତ୍କାଳୀନ ପିଇଓ ତାହାର କୌଣସି ବିବରଣୀ ପ୍ରଦାନ କରିନପାରିବାରୁ ପିଇଓଙ୍କୁ ଜୁନ୍ ମାସର ଦରମାରୁ ବଂଚିତ କରିଥିବା ଜଣାପଡ଼ିଛି । ତତ୍‌ସହିତ ଭବିଷ୍ୟତରେ ଏହିପରି ଭୂଲନକରିବାକୁ ଅଧିକାରୀମାନଙ୍କୁ ତାଗିତ୍ କରିବା ସହ ପୂନର୍ବାର ବଣୁଆଙ୍କ ନାମକୁ ତାଲିକା ଭୂକ୍ତ କରିବା ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ତାଜିପୁର ଗ୍ରାମ ଆଦିବାସୀ ସାହିରେ ବଣୁଆ ମୁଣ୍ଡାଙ୍କ ଘର । ବଣୁଆ ଜଣେ ଜନଜାତି ସଂପ୍ରଦାୟର ବ୍ୟକ୍ତି ହେବା ସହ ଅତ୍ୟନ୍ତ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୩ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର । ସେ ଦିନମଜୁରିଆ ହିସାବରେ କାର୍ଯ୍ୟକରି ସେଥିରେ ତାଙ୍କ ପରିବାର ଚଳାଇଥାନ୍ତି । ପ୍ରତିଦିନ ଦୁଇ ମୁଠା ପେଟ ପୁରା ଦାନା ମିଳିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହୋଇପାରେ ନାହିଁ । ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି । ରେସନ କାର୍ଡ଼ ମାଧ୍ୟମରେ କେବଳ ସରକାରୀ ସହାୟତା ତାଙ୍କ ପାଇଁ ସୀମିତ । ସେ ଆବାସ ଟିଏ ପାଇବା ପାଇଁ ବ୍ଲକ୍ କୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ସତ୍ୱେ ଏହା ତାଙ୍କ ଭାଗ୍ୟରେ ଆଜିଯାଏ ଜୁଟି ପାରି ନାହିଁ । ସୂଚନା ଅନୁଯାୟୀ;୨୦୨୦-୨୧ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକାଶିତ ହିତାଧିକାରୀ ତାଲିକାରେ ବଣୁଆଙ୍କ ନାମ ଥିଲା । ସେ ସବୁ ଦୃଷ୍ଟି କୋଣରୁ ଆବାସ ପାଇବାକୁ ଯୋଗ୍ୟ ଥିବାବେଳେ ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୂମିହିନ ଦର୍ଶାଇ ଏଥିରୁ ବଂଚିତ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ବଣୁଆ ଜଣେ ପଟ୍ଟାଧାରୀ ହିତାଧିକାରୀ, ସରକାରଙ୍କ ତରଫରୁ ମିଳିଥିବା ପଟ୍ଟା ଅନୁଯାୟୀ ବଣୁଆଙ୍କ ଖତିୟାନ ଥିବା ଜଣାପଡ଼ିଥିଲା । ଏହି ଖବର ଗତ୨୦୨୧ ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ବଣୁଆ ମୁଣ୍ଡା ପ୍ରକୃତରେ ଗୃହ ପାଇବାକୁ ଯୋଗ୍ୟ ଏବଂ ଭୁଲବଶତଃ ତାଙ୍କ ନାମ ପିଡ଼ବ୍ଲ୍ୟଏଲ କିମ୍ବା ହିତାଧିକାରୀ ତାଲିକାରୁ କଟିଯାଇଥିଲା ଏବଂ ତାଙ୍କୁ ଖୁବଶୀଘ୍ର ଘର ମିଳିବାର ସବୁ ବନ୍ଦୋବସ୍ତ କରାଯାଇଥିବାର ସୂଚନା ଜିଲ୍ଲାପାଳଙ୍କ ଟ୍ୱିଟର ପେଜରୁ ଜଣାପଡ଼ିଥିଲା । ଘଟଣାକୁ ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ସୁଦ୍ଧା ବଣୁଆଙ୍କୁ ଆବାସ ମିଳିବାର ପ୍ରକ୍ରିୟା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣା ପଡ଼ିଛି । ଉକ୍ତ ସମୟରେ ବନ୍ତ ବ୍ଲକରେ କାର୍ଯ୍ୟରତ ପୂର୍ବତନ ବିପିସି ଓ ଗୋପିନାଥପୁର ପଂଚାୟତ ପୂର୍ବତନ ପିଇଓଙ୍କ ଅବହେଳାରୁ ବଣୁଆ ଆଜି ପର୍ଯ୍ୟନ୍ତ ଆବାସ ପାଇବାରୁ ବଂଚିତ ହେଉଛନ୍ତି । ଅପରପକ୍ଷରେ ଶ୍ରୀ ଧଳ ଉକ୍ତ ସମସ୍ୟାକୁ ନେଇ ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ଠାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଗ୍ରହଣ କରି ରାଜ୍ୟ ମାନବାଧିକାର ଆୟୁକ୍ତ ଉକ୍ତ ଘଟଣାକୁ ତଦନ୍ତ ପରିସର ଭୂକ୍ତ କରିଥିବା ଜଣାପଡ଼ିଛି ।