017c0bfd 07f5 46a1 9869 De1fc2fc801b 750x430 1.jpeg

ଚଳଚ୍ଚିତ୍ର ନିର୍ମାଣ ମାଧ୍ୟମରେ ଜନଜାତିମାନେ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ : କୁଳପତି

State

017c0bfd-07f5-46a1-9869-de1fc2fc801b-750x430

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ପାଠ୍ୟକ୍ରମ ଉପରେ ଏକ କର୍ମଶାଳା ଗୁରୁବାର ବିଶ୍ବବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫେବ୍ରୁଆରି ୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଛନ୍ତି।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ତଥା ବିତ୍ତ ଅଧିକାରୀ ପ୍ରଫେସର ନରସିଂହ ଚରଣ ପଣ୍ଡା, ସିୟୁଓର ପରାମର୍ଶଦାତା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜାତୀୟ ଖ୍ୟାତିସମ୍ପନ୍ନ ଅଭିନେତା ତଥା ପୁଣେସ୍ଥିତ ଏଫଟିଆଇଆଇର ପ୍ରଫେସର ସଞ୍ଜୟ ମୋରେ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ସୌରଭ ଗୁପ୍ତା ଓ ଆସୋସିଏଟ ପ୍ରଫେସର ଡ. ନିଖିଲ କୁମାର ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।
୧୫ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ ଉଦ୍‌ଘାଟନ କରି କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହାକୁ ବିଶ୍ଵବିଦ୍ୟାଳୟର ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଥିଲେ। ବିଶ୍ୱବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ଉପରେ ପ୍ରଶିକ୍ଷଣ ଦେବା ପାଇଁ ମନ୍ତ୍ରଣାଳୟ ଓଡ଼ିଶାର ଏକମାତ୍ର ଅନୁଷ୍ଠାନକୁ ଚୟନ କରିଥିବାରୁ ସେ ଖୁସି ଅନୁଭବ କରିଥିଲେ। ଏହି ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ କେବଳ ଏଥିରୁ ଶିଖିବେ ନାହିଁ ବରଂ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତୀକରଣ ପାଇଁ ପ୍ରଶିକ୍ଷଣ ଦେବେ। ଏହାଦ୍ୱାରା ଏହି ଅଞ୍ଚଳର ସାମଗ୍ରିକ ଜନଜାତି ବିକାଶ ହୋଇପାରିବ। ସ୍ଥାନୀୟ ଜନଜାତିଙ୍କ ବିକାଶ ପାଇଁ ଥିବା ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଏହି କର୍ମଶାଳା ମାଧ୍ୟମରେ ପୂରଣ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଚଳଚ୍ଚିତ୍ର ନିର୍ମାଣ ମାଧ୍ୟମରେ ଜନଜାତିମାନେ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ ଯାହା ସେମାନଙ୍କ ସଶକ୍ତୀକରଣ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି।