Photo

କୁଡମୀ ସମା ର ବୈଠକ ଅନୁଷ୍ଠିତ

State

ବାରିପଦା :  ଆଜି ଅପରାହ୍ନ ସମୟରେ ଆଦିବାସୀ କୁଡୁମୀ ସମାଜର ଏକ ଜରୁରୀ ବୈଠକ ସ୍ୱାଗତୀକା କନଫରେନ୍ସ ହଲ,ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଡାକ୍ତର ମନୋଜ କୁମାର ମହାନ୍ତ, ଆଦିବାସୀ କୁଡୁମୀ ସମାଜର ରାଜ୍ୟ ସଭାପତି ଅଧ୍ୟକ୍ଷତା କରିଥିଲେ । ଗତ ତା. ୩୦.୦୧.୨୦୨୪ ରିଖରେ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ଓଡ଼ିଶାର ୧୬୯ଟି ଜନଜାତିକୁ ଅନୁସୂଚୀତ ଜନଜାତି ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ବୋଲି ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା । ମାତ୍ର ଦୀର୍ଘ ଦିନରୁ କେନ୍ଦ୍ର ସରକାରଙ୍କୁ ଅନୁସୂଚୀତ ଜନଜାତି ପାଇଁ ସୁପାରିଶ କରିବାକୁ ଆନ୍ଦୋଳନ କରିଆସୁଥିବା କୁଡୁମୀ ଜନଜାତି ସରକାରଙ୍କ ପ୍ରକାଶିତ ତାଲିକାରେ ନାମ ନ ଥିବାରୁ ଏହି ଜନଜାତି କ୍ଷୋଭ ଓ ଦୁଃଖ ପ୍ରକାଶ କରିଥିଲେ । ଫଳ ସ୍ୱରୂପ ଏଥିରେ ତୀବ୍ର ପ୍ରତିକ୍ରିୟା ରୂପେ ଆଜିର ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଭିନ୍ନ ବକ୍ତା ରାଜ୍ୟ ସରକାରଙ୍କୁ ବିଷୋଦଗାର କରିଥିଲେ । ୧୯୫୨ ମସିହାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବ ବାବୁଙ୍କ ଠାରୁ ଅଧୁନା ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ମୋଦୀ ପର୍ଯ୍ୟନ୍ତ ପୁନଶ୍ଚ ଜାନକୀ ପଟ୍ଟନାୟକଙ୍କ ଠାରୁ ନରସୀମା ରାଓ ପର୍ଯ୍ୟନ୍ତ ଭାରତ ବର୍ଷର ସମସ୍ତ ଦଳର ଶାସକ ମୁଖ୍ୟମାନଙ୍କୁ ଆବେଦନ ଓ ନିବେଦନ କରିଥିଲେ ମଧ୍ୟ ଫଳ ଶୂନ । କୁଡୁମୀ ନିଜର ଜାତି ସତ୍ତା ଜାତିର ଅସ୍ମିତା , ଜାତିର ପରିଚୟ ବଞ୍ଚାଇ ରଖିବା ପାଇଁ ଏବେବି ଉଦ୍ୟମରତ । ଆଜି ପର୍ଯ୍ୟନ୍ତ କୁଡୁମୀମାନେ ବିଭିନ୍ନ ଶାସକ ଦଳକୁ ଭୋଟ ଦେଇ ଆସୁଛନ୍ତି । ମାତ୍ର ଏହି ଜନଜାତି ଦାବୀ କଥା କେହି କର୍ଣ୍ଣପାତ କରୁ ନ ଥିବାରୁ ସଭାରେ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । କୁଡୁମୀ ଯେହେତୁ କାହାରି ନୁହେଁ କୁଡୁମୀ ମଧ୍ୟ କୌଣସି ଦଳର ହେବ ନାହିଁ । ଯେଉଁ ଦଳ କୁଡୁମୀର ହିତରେ ଛିଡା ହେବ ତା ପଛରେ କୁଡୁମୀ ଛିଡା ହେବ । ଆମର କେହି ନୁହେଁ ତ ଆମେ କାହିଁକି ତାଙ୍କର ହେବା । ଏହି ନିଷ୍ପତ୍ତିରେ ଅଟଳ ରହି ସଭାରେ ସିଦ୍ଧାନ୍ତ ଗ୍ରହଣ କରାଗଲା କି ଯେ କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତିରେ ତାଲିକାଭୁକ୍ତ ନ କରନ୍ତି ତେବେ ଆମ୍ଭେ ଭୋଟ ଦେବୁ ନାହିଁ । ସଭାରେ ଜିଲ୍ଲା ସଭାପତି ନିରଂଜନ ମହାନ୍ତ, ରାଜ୍ୟ ସଂଯୋଜକ ସଂଜୀବ ମହାନ୍ତ, ପରିକ୍ଷିତ ମହାନ୍ତ, ମନୋରଂଜନ ମହାନ୍ତ, ଧନଞ୍ଜୟ ମହାନ୍ତ, ତ୍ରିଲୋଚନ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ନଳୀନ ଚନ୍ଦ୍ର ମହାନ୍ତ, ରତିକାନ୍ତ ମହାନ୍ତ, ଆଡଭୋକେଟ ବସନ୍ତ କୁମାର ମହାନ୍ତ, କୃପାସିନ୍ଧୁ ମହାନ୍ତ, ପ୍ରମୋଦ କୁମାର ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ଯୁବ ଛାତ୍ର ସଭାପତି ସ୍ନେହାଶିଷ ମହାନ୍ତ, ଶ୍ରୀମତୀ ବାସନ୍ତୀ ମହାନ୍ତ, ସୁଶାନ୍ତି ମହାନ୍ତ, ଅନୀତାମଣି ମହାନ୍ତ ସହିତ ଶତାଧିକ କୁଡୁମୀ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।