Onn 3

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ

State

ବାରିପଦା  : ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଆଜି ଉଦ୍‌ଘାଟିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୁମିକାକୁ ସ୍ମରଣ କରିବା ସହ କେବଳ ମାତୃଭାଷାରେ ଶିକ୍ଷାଲାଭ କରି ନିଜ ନିଜ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସଫଳ ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ହେଲେ ଓଡ଼ିଆ ଭାଷାକୁ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଅବିଛେଦ୍ୟ ଅଂଶ ରୂପେ ଗ୍ରହଣ କରିବାକୁ ପଡ଼ିବ ଏବଂ ଗଭୀର ଉଦ୍‌ଯୋଗ କରିବାକୁ ପଡ଼ିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାର ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ଏବଂ ନବକୃଷ୍ଣ ଚୌଧୁରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଯେଉଁ ନିଷ୍ଠା ଦେଖାଇଛନ୍ତି ତାହାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ । ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନକୁ ଗୁରୁତ୍ୱାରୋପ ଦେଶର ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ କରିବା ସହ ମାତୃଭାଷାରେ ଅଧ୍ୟୟନରେ ଯେଭଳି ଭାବଚିତ୍ରର ଉଦ୍ରେକ ହୁଏ ତାହା ଅନ୍ୟ ଭାଷାରେ ହୁଏ ନାହିଁ ବୋଲି କହିଥିଲେ । ନିଜ ବୈଦେଶିକ ଭ୍ରମଣର ଅନୁଭୂତିକୁ ପ୍ରକାଶ କରି ପ୍ରଫେସର ମିଶ୍ର ବହୁ ବିକାଶଶୀଳ ରାଷ୍ଟ୍ର କିଭଳି ମାତୃଭାଷାରେ ଶିକ୍ଷାଦାନକୁ ଅନୁସରଣ କରି ବିକାଶ ପଥରେ ଆଗେଇଚାଲିଛନ୍ତି ତାହାର ଉଦାହରଣ ରଖିଥିଲେ ।

ମାତୃଭାଷାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭଳି ଏକ ସୁଚିନ୍ତିତ ପଦକ୍ଷେପକୁ ସେ ଭୁୟସୀ ପ୍ରଶଂସା କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କୁଳସଚିବ ଶ୍ରୀଯୁକ୍ତ ସହଦେବ ସମାଧିଆ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ ଓ କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ସ୍ୱରଚିତ ଓଡ଼ିଆ କବିତା ପାଠ, ଓଡ଼ିଆ ପ୍ରବନ୍ଧ ରଚନା, ସାଧାରଣ ଜ୍ଞାନ, ସଂଗୀତ, ଅଭିନୟ ଦକ୍ଷତା ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦୁଇଦିନରେ ମୟୂରଭଞ୍ଜରେ ଓଡ଼ିଆ ଲୋକ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା, ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଅନୁଚିନ୍ତା ଆଦି ବିଷୟରେ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷାବିତ୍‌, ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।