Onn 3

ଦାଉଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶୁଭ ଶିଳାନ୍ୟାସ କରାଯାଇଛି । ପୂର୍ବର୍ତନ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବଜାରରୁ ଏକ ବିରାଟ ମଟର ସାଇକେଲ ରାଲିରେ ବିଧାୟକ ଶ୍ରୀ ଜେନାଙ୍କୁ ପାଛୋଟି ଅଣାଯାଇଥିଲା । ସରପଞ୍ଚ ଲଳିତେନ୍ଦୁ ବିଶୋଇ ଓ ସମିତିସଭ୍ୟ ଆଶିଷ କୁମାର ମହାନ୍ତିଙ୍କ ନେତୃତ୍ୱରେ ପ୍ରଥମେ ବିଧାୟକ ଶ୍ରୀ ଜେନା ୬କୋଟି ଟଙ୍କା ଅନୁଦାନରେ ନିର୍ମାଣ ହେବାକୁ ଥିବା ନାହାଳପୁର ଭାୟା ବୋଧଙ୍ଗ ଦେଇ ଦାଉଦପୁରକୁ ଯାଇଥିବା ଏକ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ । ଏହା ପରେ ୫୦ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ପଞ୍ଚାୟତ କଲ୍ୟାଣ ମଣ୍ଡପ, ୨.୫ ଲକ୍ଷ ଟଙ୍କାରେ ନିର୍ମିିତ ହୋଇଥିବା ପଞ୍ଚାୟତ ବ୍ୟାଙ୍କ ସେବା ଗୃହ, ୩.୫ ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହୋଇଥିବା ଗଦେଇ ମାଆ ଠାକୁରାଣୀଙ୍କ ସାଂସ୍କୃତିକ ମଣ୍ଡପ ଏବଂ ନଇଁଗୁଆ ଜାଗୁଳାଇ ମନ୍ଦିରରେ ୩୦ଲକ୍ଷ ଅନୁଦାନରେ ନିର୍ମାଣ ହୋଇଥିବା ବିବାହ ମଣ୍ଡପକୁ ଶ୍ରୀ ଜେନା ଉଦଘାଟନ କରିଥିଲେ ।

ଏହାପରେ ପୂର୍ବତନ ସରପଞ୍ଚ ଦିବାକର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଶ୍ରୀ ଜେନାଙ୍କ ସହିତ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଯୁବନେତା ମନୋଜ ସେଠୀ,ବ୍ରଜମୋହନ ପଣ୍ଡା,ଅବୁଲ ମିର୍ଜା ବେଗ, ଗୌରାଙ୍ଗ ସ୍ୱାଇଁ, ବିଡ଼ିଓ ଧର୍ମରଂଜନ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ସହକାରୀ ଯନ୍ତ୍ରୀ ଅନାମଚରଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତରେ ଥିବା ମୋଟ ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୮ଶହରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆତ୍ମା ସଭାପତି ହିମାଂଶୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।