Onn 3

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହଳଦା ଅଞ୍ଚଳ ଉତ୍ସବମୁଖର

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଞ୍ଚଳ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉତ୍ସବ ମୁଖର ହୋଇ ଉଠିଥିବା ଦେଖିବାକୁ ମିଳିଛି। ସମସ୍ତ ମନ୍ଦିର ଗୁଡିକ ଆଲୋକ ମାଳରେ ସଜ୍ଜିତ କରାଯିବା ସହିତ ପ୍ରତ୍ୟକ ଘର ଅଗଣାରେ ଦୀପ ଜାଳି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଭକ୍ତିମୟ ପରିବେଶରେ ଉତ୍ସବ ପାଳନ କରାଯାଇଛି।

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସମଗ୍ର ଦେଶରେ ଉତ୍ସାହ ଉନ୍ମାଦର ସହ ଉତ୍ସବ ପାଳନ କରାଯାଇଥିବା ବେଳେ ବହଳଦା ଓ ତିରିଂ ଅଞ୍ଚଳରେ ମନ୍ଦିର ଗୁଡିକ ଆଲୋକ ମାଳ ଓ ଫୁଲମାଳ ରେ ସଜ୍ଜିତ କରାଯାଇ ପୂଜାପାଠ କରାଯାଇଥିଲା। ବିଭିିନ୍ନ ସ୍ଥାନରେ ସହର, ବଜାର, ଗ୍ରାମ ପରିକ୍ରମା କରାଯାଇଥିଲା। ଜୟ ଶ୍ରୀରାମ’ ଧ୍ବନୀର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। କେତେକ ସ୍ଥାନରେ ଆତସବାଜୀ ସହିତ ପରିକ୍ରମା କରାଯାଇଥିବା ଦେଖିବାକୁ ମିଳିଥିଲା।
ବିଶ୍ବହିନ୍ଦୁ ପରିଷଦ ର ମାର୍ଗଦର୍ଶନରେ ତଥା ରାମଭକ୍ତଙ୍କ ସହଯୋଗରେ ବିଭିନ୍ନ ମନ୍ଦିରରେ ପ୍ରାଣ ପ୍ରତିଷ୍ଠି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଦଳ, ବର୍ଣ୍ଣ, ଗୋଷ୍ଠି ନିର୍ବିଶଷରେ ଶ୍ରୀରାମ ପ୍ରେମୀ ଶ୍ରୀରାମ ଭକ୍ତ ମାନେ ବିଭିନ୍ନ ସ୍ଥାନରେ ସମ୍ମିଳିତ ହୋଇ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀରାମ ଲଲାଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ବିଭିନ୍ନ ମନ୍ଦିରରେ ବିଧିବିଧାନର ସହିତ ହୋମ ଯୋଜ୍ଞାଦି କାର୍ଯ୍ୟକ୍ରମ କରିବା ସହ ପ୍ରସଊଦ ବଣ୍ଟନର ବ୍ୟବସ୍ଥା କରିଥିଲେ। ଏହି ପରିପ୍ରେକ୍ଷୀରେ ବହଳଦା ବ୍ଲକ ର ଜାମବଣୀ (ତିକ୍ଷିଆ), ଗମ୍ଭାରିଆ, ପାହାଡପୁର, କୁଲଗୀ, ଖେଜୁରୀତାଣ୍ଡି, ବିଞ୍ଝୁଆ, ବାସିଙ୍ଗି, ଝରାଡିହି, ବଡକେଡମ, ବଡପଳସା, ଅସନା, ଇନ୍ଦୋଖଳି, କଣ, ଯଶିପୁର, ସୁରଦା, ତାରଣା ସମେତ ବିଭିନ୍ନ ମନ୍ଦିରରେ ଉତ୍ସବ ପାଳନ ସହ ଜୟ ଶ୍ରୀରାମ ଧ୍ବନୀରେ ନଗର ପରିକ୍ରମା ଏକ ଦିବ୍ୟ ବାତାବରଣ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ବାସିଙ୍ଗି ହନୁମାନ ମନ୍ଦିରରେ ବିଧି ବିଧାନର ସହିତ ପୂଜା ଅର୍ଚ୍ଚନା କରାଯିବା ସହ ୩’ ଦିନ ଧରି ନାମ ସଂକିର୍ତ୍ତନ ଅନୁଷ୍ଠିତ ହୋଇଥିଲା। ବହଳଦା ସ୍ଥିତ କିଚକେଶ୍ବରୀ ମନ୍ଦିରର ପରିସରେ ଥିବା ହନୁମାନ ମନ୍ଦିର ରେ ସୂର୍ଯ୍ୟପୂଜା ପ୍ରଭୁ ଶ୍ରୀରାମ, ମାତା ସୀତା ଓ ହନୁମାନ’ଙ୍କ ଆହୁତୀ, ହୋମ ଯୋଜ୍ଞ ସହ ସଂକୀର୍ତ୍ତନ କରାଯିବା ସହ ଶହଶହ ପୁରୁଷ ମହିଳା ରାମଭକ୍ତ ମାନେ ଆନନ୍ଦ ଉଲ୍ଲାସର ସହ ଜୟ ଶ୍ରୀରାମ ନାରା ଦେଇ ବାଦ୍ୟ ସହ ନାଚି ନାଚି ବହଳଦା ନଗର ଓ ସାହି ବସତି ପରିକ୍ରମା କରିବା ସହିତ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରିଥିଲେ। ସଂଧ୍ୟାରେ ଦୀପ ଉତ୍ସବ ପାଳନ କରାଯିବା ସହ ଶ୍ରୀରାମ ଭକ୍ତ ମାନେ ବିଭିନ୍ନ ପ୍ରକାରର ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସମଗ୍ର ଅଞ୍ଚଳ ଜୟ ଶ୍ରୀରାମ ଧ୍ବନୀରେ ମୁଖରିତ ହୋଇ ଉଠିଥିବାବେଳେ ଘରେ ଘରେ ଆମ୍ବ ତୋରଣ ପୂର୍ଣ୍ଣ କୁମ୍ଭ ସ୍ଥାପିତ କରିବା ସହ ସଂଧ୍ୟାରେ ଦୀପାବଳୀ ସଦୃଶ୍ୟ ଦୀପ ଜାଳିଥିବା ପରିଲକ୍ଷିତ ହୋଇଥିଲା। ପ୍ରତ୍ୟକ ଘରେ ଆଲୋକ ମାଳ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା।