Onn 3

କାମ ଅଧା ହୋଇପଡ଼ିବାରୁ ପାଲଟିଲାଣି ମରଣଯନ୍ତା, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା ନିର୍ମାଣ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର ମରାମତି ହେଉଥିବା ଦେଖିବାକୁ ମିଳିଛି । ଏପରିକି ମରାମତି ଆଳରେ ସମ୍ପୃକ୍ତ ଠିକାଦାର ଠକି ଚାଲିଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବରପଦା-କାଣ୍ଡବା ପିଡ଼ବ୍ଳୁଡ଼ି ରାସ୍ତା ଠାରୁ ପିଡ଼ବ୍ଳୁଡ଼ି ରାସ୍ତା ପାନବଦୀ ଛକ ପର୍ଯ୍ୟନ୍ତ ଲମ୍ବିଥିବା ୬.୧୦୦କି.ମି ରାସ୍ତାର ନିର୍ମାଣ ଠାରେ । କାର୍ଯ୍ୟାଦେଶର ଅବଧି ସରିବାର ୪ମାସ ପରେ ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣର କାର୍ଯ୍ୟାରମ୍ଭ ହୋଇଥିଲା ଏବଂ ପାରାବନ୍ଧ ପର୍ଯ୍ୟନ୍ତ ରାସ୍ତାକୁ ତାଡ଼ି ମେଣ୍ଟାଲ ପକାଇ ତା ଉପରେ ଚିସ୍ପଗୁଣ୍ଡ/ଡ଼ଷ୍ଟ ବିଛାଇ କାର୍ଯ୍ୟ ବନ୍ଦ ରଖିଥିଲେ ସଂପୃକ୍ତ ଠିକାଦାର । ପୁନଃଶ୍ଛ ଗତ ନଭେମ୍ବର ମାସରେ ଅଧପନ୍ତରିଆ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ପାରାବନ୍ଧ ଠାରୁ ସରମରା ପର୍ଯ୍ୟନ୍ତ ରାସ୍ତାକୁ ତାଡ଼ି ମେଣ୍ଟାଲ ପକାଇ ତା ଉପରେ ଚିସ୍ପଗୁଣ୍ଡ/ଡ଼ଷ୍ଟ ବିଛାଇବା କାର୍ଯ୍ୟ ସରିବାକୁ ୩ମାସ ବିତିବାକୁ ବସିଥିବା ବେଳେ ରାସ୍ତା ଉପରେ ପିଚ ପକାଇବା ବିଳମ୍ବ ହେଉଥିବାରୁ ବିଛାଯାଇଥିବା ମେଣ୍ଟାଲ ଗୁଡ଼ିକ ଉପରକୁ ଉଠି ଗମନାଗମନରେ ବିପଦ ସୃଷ୍ଟି କରିବା ସହ ବିଛାଯାଇଥିବା ଡ଼ଷ୍ଟ ଉପରେ ସରକାରୀ ନିୟମ ଅନୁସାରେ ପାଣି ଛିଂଚଣ କରାଯାଉନଥିବାରୁ ଏହା ଉଡିବା ସହ ଏହାର ଧୂଳିଧୂଆଁରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ।

ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁଯାୟୀ ;ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୧ ଡ଼ିସେମ୍ବର ମାସ ୧ ତାରିଖରୁ ଆରମ୍ଭ ହୋଇ ୨୦୨୨ ଅକ୍ଟୋବର ୩୧ ତାରିଖରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା । ଉକ୍ତ ରାସ୍ତା ସରମରା, ଗୋହିରା,ଟିଲୋ, ଦେବତାଗଡ଼ିଆ, ତୋଟାସାହି, ମଙ୍ଗୁଲି, ଓଡ଼ଙ୍ଗ, ବୋଡ଼କପାଟଣା, ବୋଡ଼କମହାଜୀବୀ ଆଦି ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଏହା ଉପରେ ନିର୍ଭର କରୁଥିବା ଉପରୋକ୍ତ ଗ୍ରାମର ବାସିନ୍ଦା ରାସ୍ତା ନିର୍ମାଣ ସରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗଯୋଗ କରିବାରୁ ମଂଜୁର ଅର୍ଥରେ ପରିବର୍ତ୍ତନ କରାଯିବାର ଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଥିବା ପ୍ରକାଶ କରିଥିବା ବେଳେ କାଦବରାଙ୍ଗ ଠାରୁ ଆଡ଼ିଆ,ବାଙ୍କତିରା ଠାରୁ ଆପ୍ତିରାଷଡ଼ଙ୍ଗୀ ପର୍ଯ୍ୟନ୍ତ ମରାମତି ହେଉଥିବା ରାସ୍ତା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବା ସୂଚନା ଦେଇଥିଲେ । ତେଣୁ ଉକ୍ତ ରାସ୍ତା ଗୁଡ଼ିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଏହାର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।