ଭୁବନେଶ୍ୱର : ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍ କରି ଫସାଉଥିଲେ। ନିଜକୁ ଯୁବତୀର ପରିଚୟ ଦେବା ସହ ବିବାହ କରିବାକୁ କହି ଠକୁଥିଲେ। ଏଭଳି ଜଣେ ଯୁବକଙ୍କଠାରୁ ୩.୧୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପୁରୀ ଜିଲା ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳ (୩୬)। ତାଙ୍କଠାରୁ ନଗଦ ୧ ଲକ୍ଷ ୬୧ ହଜାର ୧୯୦ ଟଙ୍କା, ୫ଟି ଏଟିଏମ୍ କାର୍ଡ, ୨ଟି ସିମ୍ କାର୍ଡ ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି। ଅଭିଯୁକ୍ତ ନୃସିଂହଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ମାନସ ରଞ୍ଜନ ପଣ୍ଡା ବିବାହ ପାଇଁ ଭାରତ ମାଟ୍ରିମୋନି ଆପ୍ରେ କନ୍ୟା ଖୋଜୁଥିଲେ। ଏହି ସମୟରେ ଅଭିଯୁକ୍ତ ନୃସିଂହ ତାଙ୍କ ସ୍ତ୍ରୀଙ୍କ ନାଁରେ ଖୋଲିଥିବା ଦୀପା ପ୍ରଧାନ ନାମ୍ନୀ ଆକାଉଣ୍ଟରେ ତାଙ୍କର ନଜର ପଡ଼ିଥିଲା। ଫଟୋ ଓ ପ୍ରୋଫାଇଲ୍ ଦେଖି ମାନସ ତାଙ୍କୁ ବିବାହ ପାଇଁ ପସନ୍ଦ କରିଥିଲେ। ହେଲେ ତାହା ଏକ ନକଲି ଆକାଉଣ୍ଟ ବୋଲି ମାନସ ଅଜ୍ଞ ଥିଲେ। ତେଣୁ ସେ ଗତବର୍ଷ ମେ’ ୧୮ରୁ ଉକ୍ତ ଆକାଉଣ୍ଟ୍ରେ ଦିଆଯାଇଥିବା ହ୍ବାଟ୍ସଆପ୍ ନମ୍ବର ଆଣି ଚାଟିଂ କରିଥିଲେ। ମାନସ ଉକ୍ତ ନମ୍ବରରେ ଭଏସ୍ କିମ୍ବା ଭିଡିଓ କଲ୍ କରିବାକୁ ଚାହୁଁଥିଲେ ମଧ୍ୟ ଦୀପା ପରିଚୟରେ ଚାଟିଂ କରୁଥିବା ଅଭିଯୁକ୍ତ ନୃସିଂହ ବିଭିନ୍ନ କଥା କହି ବାରଣ କରୁଥିଲେ। ପରେ ଅଭିଯୁକ୍ତ ପାରିବାରିକ ସମସ୍ୟା କହି ମାନସଙ୍କୁ ଜାଲରେ ଫସାଇଥିଲେ। ପ୍ରଥମେ ବାପା କ୍ୟାନ୍ସରରେ ପୀଡ଼ିତ ଥିବା କହିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଖବର ଦେବା ସହ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍ ହୋଇଯାଇଥିବା ଜଣାଇ ସହାୟତା ଲୋଡିଥିଲେ। ଏପରି ବିଭିନ୍ନ ସମସ୍ୟା କହି ମାନସଙ୍କଠାରୁ ସେ ବିଭିନ୍ନ ପର୍ଯ୍ୟାୟରେ ୩ ଲକ୍ଷ ୧୮ ହଜାର ଟଙ୍କା ନେଇଯାଇଥିଲେ। ପରେ ଏହି ଟଙ୍କା ମାନସ ମାଗିବା ପରେ ଅଭିଯୁକ୍ତ ବିଭିନ୍ନ ବାହାନା କାଢ଼ିବା ସହ ପରେ ମୋବାଇଲକୁ ସୁଇଚ୍ ଅଫ୍ କରିଦେଇଥିଲେ। ଏନେଇ ମାନସ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଗତବର୍ଷ ନଭେମ୍ବର ୧୫ରେ ଏକ ମାମଲା (ନଂ.୧୧୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ନୃସିଂହ ଭାରତ ମାଟ୍ରିମୋନି ଆପ୍ ସହ ଅନ୍ୟାନ୍ୟ ମାଟ୍ରିମୋନିଆଲ୍ ସାଇଟ୍ରେ ମଧ୍ୟ ଏଭଳି ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ସେସବୁ ଆପ୍କୁ ଟିଠି ଲେଖି ତଥ୍ୟ ମଗାଯାଇଛି। ଏପରିକି ମାନସଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ପୋଲିସ ଯୋଜନା କରୁଥିବା ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।