Onn 3

ସାଳନ୍ଦୀ ସଂସ୍କାର ବାଟବଣା, ନଦୀଶଯ୍ୟା ପୋତିହେବାରୁ ଚାଷୀଙ୍କୁ ପାଣି ମିଳୁନି

State

ଆଗରପଡ଼ା : ଭଦ୍ରକ ଜିଲ୍ଲା ଦେଇ ସାଳନ୍ଦୀ ନଦୀର ଅନେକ ଗୁଡ଼ିଏ ଶାଖା ପ୍ରଶାଖା ପ୍ରବାହିତ ହୋଇଛି । ବିଶେଷ କରି ଭଦ୍ରକ,ବାଲେଶ୍ୱର,କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ କୃଷି କାର୍ଯ୍ୟ ପାଇଁ ଏହି ନଦୀ ଜଳ କୁ ଉପଯୋଗ କରାଯାଇଥାଏ । ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରବାହିତ ଏହି ନଦୀ ର ଶଯ୍ୟା ପ୍ରାୟତଃ ପୋତିହୋଇଯାଇଥିବାର ଦେଖିବାକୁ ମିଳୁଛି । ନଦୀ କୂଳରେ ଚାଷ ପାଇଁ ଆବଶ୍ୟକୀୟ ପାଣି ଚାଷୀମାନେ ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ ପାଶ୍ୱର୍ ରୁ ମାଟି ଅତଡ଼ା ଖସୁଛି । ସାଳନ୍ଦୀରେ ଜଳ ପତ୍ତନ ସାମାନ୍ୟ ବୃଦ୍ଧି ପାଇଲେ ଏହା ଗାଁ ମଧ୍ୟକୁ ପଶିଆସି ଲୋକମାନଙ୍କର କ୍ଷୟକ୍ଷତି ଘଟୁଛି । ଏଥିନେଇ ନଦୀ କୂଳିଆ ଗ୍ରାମବାସୀମାନେ ସଦାସର୍ବଦା ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ସରକାରୀ ସ୍ତରରେ ପଥର ପ୍ୟାକିଂ ବା କୂଳରେ କଂକ୍ରିଟ ୱାଲର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏଠାରେ ନିର୍ମାଣ ହୋଇପାରି ନାହିଁ । ଗତ ୧୯୯୯ ମସିହାର ମହାବାତ୍ୟା ସମୟରେ ଏହି ନଦୀର ବନ୍ୟା ହଦଗଡ଼ ଡ଼୍ୟାମର ତଳି ଅଞ୍ଚଳରେ ଜଳ ନିଷ୍କାସନ ହୋଇପାରିନଥିବାରୁ ଲୋକମାନେ ଦୀର୍ଘ ଦିନ ଧରି ପାଣି ଘେରରେ ରହିଥିଲେ । ନଦୀ ଶଯ୍ୟା ଖନନ ପାଇଁ ପ୍ରାକ୍ତନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ତଥା ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ପ୍ରଚେଷ୍ଟାରେ ସାଳନ୍ଦୀ ସଂସ୍କାର ଯୋଜନାରେ ଅର୍ଥ ମଂଜୁର ହୋଇଥିଲା ଓ ପରେ ଏହାର କାର୍ଯ୍ୟ ମଧ୍ୟ ହୋଇଥିଲା । ମାତ୍ର ଏହି କାର୍ଯ୍ୟ ଠିକ୍‌ଭାବେ ହୋଇନଥିବାରୁ ବର୍ତ୍ତମାନ ଯଥା ପୂର୍ବଂ ତଥା ପରଂ ଅବସ୍ଥା ହୋଇଥିବାର ଜଣାପଡ଼ିଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କୂଳରେ ପଥର ପ୍ୟାକିଂ ଓ କଂକ୍ରିଟ ୱାଲ ତିଆରି କରିବାକୁ ସାଧାରଣରେ ଦାବି ହେଉଛି ।