Photo For The News Of Anganwadi

୧୪ ବର୍ଷ ପରେ ଅଙ୍ଗନବାଡ଼ି ନିଜସ୍ୱ ଗୃହ ନିର୍ମାଣ ଆରମ୍ଭ

State

ଆଗରପଡ଼ା :ଅଙ୍ଗନବାଡ଼ି ନିଜସ୍ୱ ଗୃହକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଇତି ମଧ୍ୟରେ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ଜଣାପଡ଼ିଛି । ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ ଥିବା ୨ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଗୋଟିଏ କେନ୍ଦ୍ରର ନିଜସ୍ୱ ଗୃହ ଥିବା ବେଳେ ୨୦୧୦ ମସିହା ଜାନୁଆରୀ ମାସରେ ପ୍ରତିଷ୍ଠିତ ଅନ୍ୟ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ଆଜି ପର୍ଯ୍ୟନ୍ତ ନିର୍ମିତ ହୋଇପାରିନଥିବାରୁ ପ୍ରତିଷ୍ଠାକୁ ୧୪ ବର୍ଷ ପରେ ମଧ୍ୟ ମିଶନଶକ୍ତି ଗୃହରେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି । ବର୍ଷାଋତୁରେ ବର୍ଷାଜଳ ନିଷ୍କାସନର କୌଣସି ସୁବିଧା ନଥିବାରୁ ଏହା କେନ୍ଦ୍ର ସମ୍ମୁଖରେ ଜମିରହି ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ । ପ୍ରଥମେ ପଂଚାୟତଗୃହରେ ଏହା ଚାଲୁଥିଲା ।

କିନ୍ତୁ ୨୦୧୭ ମସିହାରେ ଗୃହକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଏହା ୨୦୨୧ ଫେବୃଆରୀ ମାସ ପର୍ଯ୍ୟନ୍ତ କର୍ମୀଙ୍କ ନିଜସ୍ୱ ଗୃହରେ ଚାଲୁଥିଲା । କିନ୍ତୁ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି଼ି କେନ୍ଦ୍ର ପକ୍କାଘରେ ଚାଲିବାର ଥିବାରୁ (ମିଶନଶକ୍ତି ଯେହେତୁ ଆଇସିଡ଼ିଏସ ଅଧିନରେ) ସିଡ଼ିପିଓଙ୍କ ଅନୁମତିରେ ଏହା ୨୦୨୧ ଫେବୃଆରୀ ମାସରୁ ମିଶନଶକ୍ତି ଗୃହରେ ଚାଲୁଥିବାର ଜଣାପଡ଼ିଛି । ମିଶନଶକ୍ତିର ଗୋଟିଏ ଗୃହ ଥିବାରୁ କେନ୍ଦ୍ରଟିର ରୋଷେଇ କାର୍ଯ୍ୟରେ ନାନା ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି । କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ବହୁ ଅସୁବିଧାରେ ଏହାର ଅନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ଏଠାରେ ସଂପାଦିତ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଇତି ମଧ୍ୟରେ ଉକ୍ତ କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ଜଣାପଡ଼ିଛି ।