Onn 3

ଜଳସେଚନ ସମସ୍ୟାରୁ ଓହରି ପାରୁନି ଚାଷୀ, ପ୍ରହସନ ପାଲଟିଛି ଲିଫ୍ଟ ପଏଣ୍ଟ୍ ନିର୍ମାଣ

State

ଆଗରପଡ଼ା : କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି । ଚାଷର ମୁଖ୍ୟ ଉପାଦାନ ଜଳ ହୋଇଥିବାରୁ ସରକାର ମୁଖ୍ୟ କେନାଲ ,ଶାଖା କେନାଲ ,କାଡ଼ାନାଳ ଆଦି ଖନନ ସହ ଅଣ ଜଳସେଚିତ ଅଂଚଳକୁ ଜଳଯୋଗାଣର ବ୍ୟବସ୍ଥା ପାଇଁ ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ବ୍ୟୟ କରି ଲିଫ୍ଟ ପଏଣ୍ଟ୍ ମାନ ନିର୍ମାଣ କରିଛନ୍ତି । ବନ୍ତ ବ୍ଲକର ନରସିଂହପୁର, ଜିରିଣା,ଟିଲୋ,ପଳସା,ଗଣିଜାଙ୍ଗ, ରାମପୁର,ରାମକୃଷ୍ଣପୁର,ଓଡ଼ଙ୍ଗ,ନିଳୋକ ଏବଂ ଆଡ଼ିଆ ସହ ଅନ୍ୟାନ୍ୟ ସ୍ଥାନରେ ଥିବା ଶହଶହ ଚାଷ ଜମିକୁ ଜଳସେଚନର ସୁବିଧା ପାଇଁ ଲିଫ୍ଟ ପଏଣ୍ଟ୍ ମାନ ନିର୍ମାଣ କରାଯାଇଛି । ଉକ୍ତ ପଏଣ୍ଟ୍ ଜଳକୁ ସୁଚାରୁରୁପେ ସଂପାଦନ କରିବା ପାଇଁ ଚାଷୀ କମିଟି ମାନ ଗଠନ କରାଯାଇ ଏହାର ଦାଇତ୍ୱ ଦିଆଯାଇଛି । ହେଲେ ସ୍ଥାପନ କରାଯାଇଥିବା ପଏଣ୍ଟ୍ ଗୁଡ଼ିଣ୍ଟବହୁ ସ୍ଥାନରେ ଅଚଳ ଅବସ୍ଥାରେ ପଡ଼ିରହିଛି । ଜଳସେଚନର ସମସ୍ୟାକୁ ନେଇ ବିଭିନ୍ନ ଅଂଚଳର ଚାଷୀ ମାନେ କେବଳ ଧାନ ଚାଷକୁ ନିଜର ମୁଖ୍ୟ ଫସଲ ଭାବେ ଗ୍ରହଣ କରିଛନ୍ତି । ଧାନ ଚାଷ ପରେ ପଡ଼ୁଥିବା ଶହଶହ ଏକର ଚାଷ ଜମିରେ ଡ଼ାଲି ଜାତୀୟ ,ତୈଳବୀଜ, ପନିପରିବା ଚାଷ କରିବାକୁ ମନରେ ବହୁ ଆଗ୍ରହ ଥିବା ବେଳେ ଚାଷୀ ଙ୍କୁ ଅନ୍ୟଫସଲ ପାଇଁ ପ୍ରୋତ୍ସାହନ ମିଳିପାରୁନି । ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବସିଥିବା ପଏଣ୍ଟ୍ ଗୁଡ଼ିକରେ କେଉଁଠି ବିଦ୍ରୁତ୍ ସଂଯୋଗ ହୋଇନିି ତ ଆଉ କେଉଁଠି ତାହା ଅଚଳ ଅବସ୍ଥାରେ ପନିରହିଛି । ଚାଷୀ ମାନଙ୍କର ଅନ୍ୟଫସଲ କରିବାକୁ ମନରେ ଆଗ୍ରହ ଥିବା ବେଳେ ଜଳସେଚନର ସୁବିଧା ସହ ଉପଯୁକ୍ତ ପରାମର୍ଶ ଓ ପ୍ରେତ୍ସାହନ ମିଳୁନଥିବାରୁ ୯୦ଭାଗ ଚାଷୀ କେବଳ ଧାନ ଫସଲକୁ ନିଜର ମୁଖ୍ୟ ଫସଲ ଭାବେ ଗ୍ରହଣ କରୁଛନ୍ତି ।

କେତେକ ସ୍ଥାନରେ ଡ଼ାଲିଜାତୀୟ ସହ ପନିପରିବା ଚାଷ କରାଯାଇଥିବା ବେଳେ ଜଳସମସ୍ୟା ଦେଖାଯାଇଛି । ଉକ୍ତ ସ୍ଥାନରେ ବର୍ଷ ବର୍ଷ ଧରି ବସିଥିବା ପଏଣ୍ଟ୍ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନି । ବନ୍ତ ପଂଚାୟତର ନରସିଂହପୁର ,ଜିରିଣା,ବାଙ୍ଗୋରପଦୀ,ଶାସନର ଶହ ଶହ ଏକର ଜମି ଶାଖା କେନାଲ ଉପରେ ନିର୍ଭର କରୁଥିବାବେଳେ ଉକ୍ତ ସ୍ଥାନରେ ଜଳ ଯୋଗାଣ ପାଇଁ ହୋଇଥିବା ପଏଣ୍ଟ୍ ଅଚଳ ଅବସ୍ଥାରେ ପଡ଼ିରହିଛି । ଅନ୍ୟପକ୍ଷରେ ଟିଲୋ ଓ ଅନ୍ୟାନ୍ୟ ସ୍ଥାନରେ ବସିଥିବା ପଏଣ୍ଟ୍ ଗୁଡ଼ିକର ଅବସ୍ଥା ମଧ୍ୟ ସମାନ । ଚଳିତ ବର୍ଷ ନରସିଂହପୁର,ଜିରିଣା,ପାନପଦୀ,ବାଙ୍ଗୋରପଦୀ ,ଦୋଳପଦୀ ସହ ଅନ୍ୟାନ୍ୟ ସ୍ଥାନରେ ଧାନ ବାହାରିବା ସମୟରେ ଜଳସମସ୍ୟା ଦେଖାଯାଇଥିବାରୁ ବହୁ ଚାଷି ନିଜର ଧାନ କ୍ଷେତକୁ ବହୁ କଷ୍ଟରେ ଜଳ ବୋହି ଧାନକୁ ଅମଳ କରିଥିଲେ । ଜଳସେଚନର ସୁବନ୍ଦୋବସ୍ତ ହୋଇପାରୁନଥିବାରୁ ରବି ଋତୁପରେ ଚାଷୀମାନଙ୍କୁ ଡ଼ାଲି ଓ ତୈଳବୀଜ ଜାତୀୟ ଫସଲ କରି ନିଜେ ଆତ୍ମନିର୍ଭର ଶୀଳ ହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁମୂଖି ଯୋଜନା ପ୍ରସୃତ କରିଥିଲେ ସୁଦ୍ଧା ତାହାର ପ୍ରକୃତ ସୁଫଳ ମିଳିପାରୁନାହିଁ । ଚାଷ ଓ ଚାଷୀର ଉନ୍ନତି ପାଇଁ ବନ୍ତ ବ୍ଲକର ବିଭିନ୍ନ ପଂଚାୟତ ରେ ନିର୍ମାଣ ହୋଇଥିବା ଲିଫ୍ଟ ପଏଣ୍ଟ୍ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ଜଳସେଚନର ସୁବ୍ୟବସ୍ଥା କରିବାକୁ ଚାଷୀ ମହଲରେ ଦାବି ହେଉଛି ।