Photo

ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

sports State

ବାରିପଦା – ସ୍ଥାନୀୟ ବାରିପଦା କଲେଜ ପଡିଆରେ ସିକ୍ରେଟ – ୧୧ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ଏଟାକ – ୧୧ ମା ଅମ୍ବିକା ୱାରିୟାର୍ସକୁ ୫୩ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଏଟାକ ୧୧ ଦଳ ୧୦ ଓଭରରେ ୭ ଉଇକେଟ ହରାଇ ୧୦୬ ରନ କରିଥିଲେ I ଦଳ ପକ୍ଷରୁ ବାଣିଦତ୍ତ ପରିଡା ୩୧ ଓ ଭରତ ସ୍ୱାଇଁ ୨୨ ରନ କରିଥିବାବେଳେ ବିପକ୍ଷ ଦଳର ବିକ୍ରମ ବର୍ମା, ଗଦାଧର ନାୟକ ଓ ଲକ୍ଷ୍ମୀଧର ସିଂ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମା ଅମ୍ବିକା ୱାରିୟାର୍ସ ୫.୪ ଓଭରରେ ୨ ଉଇକେଟ ହରାଇ ୫୩ ରନ କରିଥିଲେ I ଦଳ ପକ୍ଷରୁ ଅମିତ ବିଶ୍ୱାସ ୨୨ ଓ ଦେବାଶିଷ ଗୁପ୍ତା ୨୦ ରନ କରିଥିଲେ I ଶେଖ ଲାଇକୁଦ୍ଦିନ ଓ ସମୀର ବେହେରା ଖେଳ ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର ଓ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ I

ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବାର ଏସୋସିଏସନର ଉପ ସଭାପତି ସୁଜାତା ମିଶ୍ର, ରୋଟାରି କ୍ଲବର ପୂର୍ବତନ ସଭାପତି ରାକେଶ ସିଂ, ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ ସଂଜୀବ ଦ୍ବିବେଦୀ ପୂର୍ବତନ କ୍ରିକେଟ ଖେଳାଳି ଅମୀୟ ବଳ, ସୋମନାଥ ସିଂହ, ଅରୁଣ କୁମାର ବାରିକ ଓ ସତ୍ୟନାରାୟଣ ସାହୁ ପୁରସ୍କାର ବିତରଣ କରିଥିଲେ I ଚମ୍ପିୟାନ ଦଳ ତଥା ରନର୍ସ ଅପ ଦଳକୁ ଟ୍ରଫି ସହ ସତ୍ୟ ସୁଷମା ମେମୋରିଆଲ ଟ୍ରଷ୍ଟର ଫାଉଣ୍ଡର ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଦେଇଥିବା ଯଥାକ୍ରମେ ୬୦୦୦ ଓ ୪୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା I ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ଦୀପକ କୁମାର ବେହେରା, ବୋଲର ଭାବେ ପାର୍ଥ ଦେ, ଫିଲଡର ଭାବେ ମଳୟ ମହାନ୍ତି ଓ ଶ୍ରେଷ୍ଠ ଖେଳାଳୀ ଭାବେ ଅମିତ ବିଶ୍ୱାସ ପୁରସ୍କୃତ ହୋଇଥିଲେ I