Img 20240107 Wa0275

ରାଇରଙ୍ଗପୁର ଉପକାରାଗାରରେ କୟଦୀ ଫେରାର; ଚିନ୍ତାରେ ଜେଲ କର୍ମଚାରୀ

State

ବାରିପଦା: କୟଦୀ ଫେରାର ନେଇ ଜେଲ କର୍ମଚାରୀ ଓ ପୋଲିସର ନିଦ ହଜିଯାଇଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଉପକାରାଗାରରେ ବିଶୋଇ ଅଂଚଳର ହତ୍ୟା ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିବା ଛୋଟୁ ଲୋହାର ଶନିବାର ଦିନ ୨.୪୫ ପାଖାପାଖି ସମୟରେ ଜେଲ କାରାଗାରର ମୁଖ୍ୟ ଦୁଆରରେ ଜେଲ କର୍ମଚାରୀଙ୍କୁ ଧକ୍କା ଦେଇ ଖସି ପଳାଯାଇଥିବା ଶୁଣିବାକୁ ମିଳୁଛି। ଦିର୍ଘ ୮ ବର୍ଷ ହେଲାସେ ଜଣେ କର୍ମଠ,ସଚୋଟ ଓ ବିଶ୍ବସ୍ତ କୟଦୀ ହିସାବରେ ଦକ୍ଷତା ପ୍ରଦର୍ଶନ କରି ସମସ୍ତ ଜେଲ କର୍ମଚାରୀଙ୍କ ବିଶ୍ବସ୍ତ ଭାଜନ ହୋଇଥିଲା । ନିକଟରେ ହତ୍ୟା ଅଭିଯୋଗରେ ହାଇକୋର୍ଟରେ ବେଲ ପାଇଁ ତାଙ୍କର ଅପିଲ ଖାରଜ ନେଇ ମନ ଭିତରେ ସେ ଭାଙ୍ଗି ପଡିଥିବା ଅନୁମାନ କରାଯାଉଛି । ଜେଲରୁ ଆଉ ମୁକୁଳି ପାରିବନି ବୋଲି ଭାବି ମନ ଭିତରେ ଦୁଃଖ ଓ ଭୟ ଘାରି ଥାଇପାରେ ।

କିନ୍ତୁ ସମସ୍ତଙ୍କର ପ୍ରିୟ ଛୋଟୁ କାଗଜ ପତ୍ରଠାରୁ ପରିବା ଚାଷ ସବୁ କାମକରି କାରାଗାରରେ ନିଜର ଏକ ନିଆରା ବିଶ୍ବସ୍ତ ପରିଚୟ ସୃଷ୍ଟି କରିଥିଲା । ସବୁଦିନ ଭଳି ଶନିବାର ଦିନ ସେ ସମସ୍ତଙ୍କ ଭଳି ମିଶି କାମ କରି ଜେଲ କର୍ମଚାରୀଙ୍କ ଅନ୍ୟମନସ୍କ ସୁଯୋଗ ନେଇ ଜେଲରେ ମୁଖ୍ୟ ଦୁଆର ଦେଇ ଖସି ପଳାଇଥିଲା ।ପୋଲିସ ଏବଂ ଜେଲ କର୍ମଚାରୀ ଦିବାରାତ୍ର ସବୁଆଡେ ଛାନଭିନ୍ କଲେ ମଧ୍ୟ କିଛି ଟେର ପାଇଁ ନାହାନ୍ତି । ଘଟଣାକୁ ନେଇ ଜେଲ ଉପକାରାଗାର ଅଧିକାରୀ ବୁଲୁ ମାଟିଆ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ସେ ଏଭଳି କାର୍ଯ୍ୟ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଏବଂ ଜେଲ କର୍ମଚାରୀ ଚାରି ଆଡକୁ ସୂଚନା ଦେବା ସହ ତିକ୍ଷଣ ନଜର ରଖିଛନ୍ତି । ଘଟଣାକୁ ନେଇ ଜେଲ କର୍ମଚାରୀ ଓ ପୋଲିସର ନିଦ ହଜିଯାଇଛି । ଆସାମୀ ଛୋଟୁ ବିଶ୍ବାସରେ ବିଷ ଦେଇ ଦେଲା ବୋଲି ଜେଲ କର୍ମଚାରୀ କହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ।