ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୪୦ ବର୍ଷୀୟ ହେମଲାଲ ବର୍ମା ଭିଲାଇ ନଗର ଅଧୀନ କୋହକାରେ ପମ୍ପ ଅପରେଟର ଭାବେ କାମ କରୁଥିଲେ। ହେମଲାଲଙ୍କ ଘରର ତଳ ମହଲରେ ତାଙ୍କ ପିତାମାତା ରହୁଥିଲେ। ଉପର ମହଲାରେ ସେ ନିଜ ୩୮ ବର୍ଷୀୟା ପତ୍ନୀ ଜାହ୍ନବୀ, ୧୪ ବର୍ଷୀୟା ଝିଅ ପ୍ରିୟା, ୧୧ ବର୍ଷିୟା ଝିଅ ମୁସ୍କାନ ଓ ୭ ବର୍ଷୀୟା ଝିଅ ରିତିକା ସହ ରହୁଥିଲେ।
ସୋମବାର ରାତି ୯ଟାରେ ହେମଲାଲ ନିଜ କାମ ସାରି ଘରକୁ ଫେରିଥିଲେ। ଉକ୍ତ ସମୟରେ ରିତିକା ନିଜ ଜେଜେ ମା’ଙ୍କ ନିକଟରେ ତଳ ମହଲାରେ ଥିଲେ। କରୋନା ଓ ଅନ୍ୟ ଘାତକ ବେମାରକୁ ଏଡ଼ାଇବାକୁ ଜଣେ ବାବାଙ୍କ ନିକଟରୁ ପ୍ରସାଦ ଆଣିଥିବା ହେମଲାଲ ନିଜ ପତ୍ନୀ ଓ ପିଲାଙ୍କୁ କହିଥିଲେ। ମାତ୍ର ଏହାକୁ ସେମାନେ ବିଶ୍ୱାସ କରି ନ ଥିଲେ। ଏହାପରେ ହେମଲାଲ ଜୋରଜବରଦସ୍ତ ଉକ୍ତ ପ୍ରସାଦକୁ ଖୁଆଇ ଦେବା ସହ ନିଜେ ବି ଖାଇଥିଲେ।
କିଛି ସମୟ ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଏହାପରେ ପରିବାରର ଅନ୍ୟ ସଦସ୍ୟ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ହେମଲାଲ ଓ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଛି। ପତ୍ନୀ ଓ ସାନ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟାଜନିତ ମାମଲା ବୋଲି ପୁଲିସ୍ ଜାଣିବାକୁ ପାଇଛି। ତେବେ ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।