Onn 3

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ, ୩୦ ହଜାର ଟଙ୍କା ଜବତ

Crime State

 

Screenshot-2023-12-21-001313

ସୁନ୍ଦରଗଡ଼: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ଟାଟା ପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଇଂ ରଞ୍ଜନ ଦାସ ।

ପ୍ରବୀଣ କୁଲୁ ବଡ଼ଗାଁ ଟାଟା ପାୱାର ଅଫିସରେ ଅସ୍ଥାୟୀ ହେଲ୍‌ପର ଭାବେ କାମ କରନ୍ତି । ତାଙ୍କୁ ସ୍ଥାୟୀ କରାଇଦେବା ପାଇଁ ସେ ଇଂ ଦାସଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । ଟଙ୍କାଦେଲେ ତାଙ୍କୁ ସ୍ଥାୟୀ କରାଇଦେବେ ବୋଲି ଇଂ ଦାସ କହିବାରୁ ଉଭୟଙ୍କ ମଧ୍ୟରେ ୩୦ ହଜାରରେ କଥା ଛିଣ୍ଡିଥିଲା । ଏହାପରେ ପ୍ରବୀଣ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭାରପ୍ରାପ୍ତ ଡିଏସ୍‌ପି ଦୈତ୍ୟାରି ଘଡ଼େଇଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ ହୋଇ ଇଂ ଦାସଙ୍କୁ ଧରିବାକୁ ଜାଲ ବିଛାଇଥିଲେ । ଇଂ ଦାସଙ୍କୁ ଦେବା ପାଇଁ ରାସାୟନିକ ପ୍ରଲେପବୋଳା ୩୦ ହଜାର ଟଙ୍କା ପ୍ରବୀଣଙ୍କୁ ଦିଆଯାଇଥିଲା ।

ଆଜି ସକାଳେ ଟଙ୍କା ନେଣଦେଣ ପାଇଁ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଇଂ ଦାସ ଅଫିସରେ ଟଙ୍କା ନେଇ ନ ଥିଲେ । ତେଣୁ ସକାଳଠାରୁ ଛକିଥିବା ଭିଜିଲାନ୍ସ ନିରାଶ ହୋଇଥିଲା । ଏହାପରେ ପ୍ରବୀଣ ଓ ଇଂ ଦାସଙ୍କ ମଧ୍ୟରେ ସଂଧ୍ୟାରେ ବଡ଼ଗାଁ ବସ୍‌ଷ୍ଟାଣ୍ଡରେ ଟଙ୍କା ଦେବାନେବା ସ୍ଥିର ହୋଇଥିଲା । ତେଣୁ ପ୍ରବୀଣ ତାଙ୍କୁ ବସ୍‌ଷ୍ଟାଣ୍ଡରେ ଏକ ଚା’ ଦୋକାନରେ ବସିଥିବାବେଳେ ଟଙ୍କା ଦେଇଥିଲେ । ଏହାପରେ ଭିଜିଲାନ୍‌ସ ତାଙ୍କୁ କାବୁ କରିନେଇଥିଲା । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ୩୦ ହଜାର ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଧରିବା ପରେ ଇଂ ଦାସଙ୍କ ୩ଟି ଠିକଣାରେ ଯାଞ୍ଚ କରାଯାଉଛି । ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ଅଫିସରେ ମାରାଥନ୍ ଜେରା କରାଯାଉଛି । ଏ ନେଇ ରାଉରକେଲା ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।