Onn 3

ଭତ୍ତା ପାଇବାରୁ ଦିବ୍ୟାଙ୍ଗ ମହିଳା ବଞ୍ଚିତ; ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଜଣେ ଦିବ୍ୟାଙ୍ଗ ମହିଳା ଏକ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଦିବ୍ୟାଙ୍ଗ ମହିଳା ଜଣକ ଚଳିବା ପାଇଁ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ବେଳେ ଏବେ ଟଙ୍କା ନପାଇବାରୁ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି । ଜିଗ୍ନୀପୁର ପଞ୍ଚାୟତ ୭ନଂ ୱାର୍ଡ଼ ଛୁଆଳିଆ ଗ୍ରାମର ସବିତା କୁମାରୀ ସାହୁ ପ୍ରତ୍ୟେକ ମାସରେ ଦିବ୍ୟାଙ୍ଗ ଭତ୍ତା ପାଇଥାନ୍ତି । ଗତ ୨୦୨୨ ମସିହାରେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଭତ୍ତା ଟଙ୍କା ବ୍ୟାଙ୍କ ଜମାଖାତାକୁ ପଠାଯିବା ନିମନ୍ତେ ସମ୍ପୃକ୍ତ ହିତାଧିକାରୀଙ୍କ ଠାରୁ ଜମାଖାତା ବହି ନଂ ଓ ଆଧାର କାର୍ଡ଼ ନିଆଯାଇଥିଲା । ଏହି ଜମାଖାତାକୁ ସରକାରଙ୍କ ପକ୍ଷରୁ ତିନି ଚାରିମାସର ଭତ୍ତା ଟଙ୍କା ମଧ୍ୟ ପଠାଯାଇଥିଲା , ହେଲେ କାର୍ଯ୍ୟାଳୟ ତ୍ରୁଟି ପାଇଁ ଗତ ବର୍ଷ ଡ଼ିସେମ୍ବର ମାସ ଠାରୁ ସମ୍ପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କ ଜମାଖାତାକୁ ଭତ୍ତା ଟଙ୍କା ଆସୁନଥିବା ସେ ଅଭିଯୋଗ କରିଛନ୍ତି ।

ବ୍ୟାଙ୍କ ଦ୍ୱାରା ଭତ୍ତା ଟଙ୍କା ପୈଠ କରିବାରେ ଅସୁବିଧା ହେଉଥିବା ବହୁ ହିତାଧିକାରୀ ଅଭିଯୋଗ କରିବା ପରେ ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ପଞ୍ଚାୟତ ମାଧ୍ୟମରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସମ୍ପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କର ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଆସୁନଥିବାବେଳେ ପଞ୍ଚାୟତ ତାଲିକାରେ ମଧ୍ୟ ନାଁ ନଥିବା ଜଣାଯାଇଛି । ପ୍ରତ୍ୟେକ ମାସରେ ଉକ୍ତ ମହିଳା ଜଣକ ପଞ୍ଚାୟତକୁ ଯାଇ ଭତ୍ତା ଟଙ୍କା ନପାଇ ଫେରୁଥିବାବେଳେ ବ୍ୟାଙ୍କକୁ ଯାଇ ବୁଝିଥିଲେ ମଧ୍ୟ ଟଙ୍କା ଆସିନଥିବାରୁ ଫେରିଥାନ୍ତି । ଏ ସଂକ୍ରାନ୍ତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେ କହିଛନ୍ତି । ତୁରନ୍ତ ଏହି ଦିବ୍ୟାଙ୍ଗ ମହିଳାକୁ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରିବା ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।