Onn 3

ଅବସରପ୍ରାପ୍ତ କର୍ମଚାରୀଙ୍କ ଯୁଗ୍ମ ସାଂଗଠନିକ ବୈଠକ

State

ନିଶ୍ଚିନ୍ତକୋଇଲି :ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କୋଲଣପୁର ଠାରେ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଏକ ଯୁଗ୍ମ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଧ୍ରୁବଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ଉପାଧ୍ୟକ୍ଷ ଦ୍ୱାରିକାନାଥ ମହାନ୍ତି, କଟକ ଜିଲ୍ଲା ମୁଖ୍ୟ ସଂଯୋଜକ ସୁବୋଧନ କୁମାର ରାୟ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଚିକିତ୍ସା ଭତ୍ତା, ଚିକିତ୍ସା ବୀମା , ପେନସନରେ ରହିଥିବା ତାରତମ୍ୟ ଦୂରୀକରଣ ,ପେନସନ ବିଭାଗର ପୁନଃସ୍ଥାପନ ,ସର୍ବନିମ୍ନ ପେନସନ ୯ହଜାର ଟଙ୍କା ନିର୍ଦ୍ଧାରଣ ଓ ଅତିରିକ୍ତ ପେନସନ ୬୫ବର୍ଷରୁ ଲାଗୁୁ କରିବା ଆଦି ମୁଖ୍ୟ ଦାବି ଗୁଡ଼ିକୁ ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ମହାସଂଘର ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ସ୍ତରୀୟ ସଂଘର କର୍ମକର୍ତ୍ତା ମାନେ ସାମିଲ ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ଉକ୍ତ ଆଲୋଚନାରେ ପ୍ରକାଶ ଚନ୍ଦ୍ର ଜେନା, ବସନ୍ତ କୁମାର ସ୍ୱାଇଁ, ଦେବେନ୍ଦ୍ର ବାରିକ, ନଳିନୀକାନ୍ତ ମିଶ୍ର,ଗୋଲଖଚନ୍ଦ୍ର ବାରିକ, ଅଲେଖ ଚନ୍ଦ୍ର ଦାସ, ଝରିସୁନ୍ଦର ମଳିକ, ରଜନୀକାନ୍ତ ଦାଶ, କୈଳାସଚନ୍ଦ୍ର ବଳବନ୍ତରାୟ, ଉମେଶ ଚନ୍ଦ୍ର ରାଉତ, ଦୁର୍ଗାପ୍ରସାଦ ନାୟକ,ଘନଶ୍ୟାମ ସାମଲ ପ୍ରମୁଖ ଯୋଗ ଦେଇ ସମର୍ଥନ ଜଣାଇଥିଲେ । ସାଲେପୁର ଶିକ୍ଷା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘକୁ ନୂତନ ଭାବେ ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ରଜନୀକାନ୍ତ ଦାଶ, ସମ୍ପାଦକ ଭାବେ ଗୋଲଖଚନ୍ଦ୍ର ବାରିକଙ୍କ ସମେତ ୩ଜଣ ଉପସଭାପତି , ୩ଜଣ ଯୁଗ୍ମ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ,୯ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ଓ ୪ଜଣ ଉପଦେଷ୍ଟାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଏହି ସଂଘ ରାଜ୍ୟ ଅବସରପ୍ରାପ୍ତ ମହାସଂଘ ସହିତ ସହବନ୍ଧିତ ହୋଇ ରହିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।