Onn 3

ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ତାରଣା ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟ ପରିସରରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ଶିଶୁ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବହଳଦା ଗୋଷ୍ଠୀ ଶିକ୍ଷାଧିକାରୀଣୀ ସୁଶ୍ରୀ ଶୁଭଶ୍ରୀ ସିଂ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମଣ୍ଡଳ ଯୋଗ ଦେଇ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା’ଙ୍କ ଫୋଟ ଚିତ୍ରରେ ଧୂପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥୀ ଭାବେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ଅବସରପ୍ରାପ୍ତ ଖେଳ ଶିକ୍ଷକ ନିମାଇଚାନ୍ଦ ମଣ୍ଡଳ, ସାମ୍ବାଦିକ ଅଶୋକ ରାଉତ, ବହଳଦା ବ୍ଲକ ଓଷ୍ଟା ସଭାପତି ରାଜକିଶୋର ମହାନ୍ତ, ଓଷ୍ଟା ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହୀ, ବହଳଦା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନରଞ୍ଜନ ଗିରି, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବଳ ଦାଶ ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇ ହେମ୍ବ୍ରମ, ଓଷ୍ଟା ଜିଲ୍ଲା ସଂପାଦକ ଦୁର୍ଯ୍ୟଧନ ବେହେରା ଏବଂ ଜିଲ୍ଲା ସହ ସଂପାଦକ ପ୍ରକାଶଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ୧୯୮୯ ମସିହାରୁ ଏଫ୍ଏମ୍ ଏକାଡେମୀ ବିଦ୍ୟାଳୟରେ ନୂତନ ଭାବେ ଅଷ୍ଟମ, ନବମ, ଦଶମ ଶ୍ରେଣୀ ଆରମ୍ଭ କରାଯାଇ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଦୀର୍ଘ କୋଡିଏ ବର୍ଷ ଧରି ଅବୈତନିକ ଶିକ୍ଷକ ଭାବେ ଶ୍ରୀ ନିମାଇ ହେମ୍ବ୍ରମ ପ୍ରଧାନ ଶିକ୍ଷକ ଦାୟିତ୍ବ ବହନ କରି ସରକାରୀ ବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଏଫଏମ ଏକାଡେମୀ ଉଚ୍ଚବିଦ୍ୟାଳୟ ରୁ ଚଳିତ ବର୍ଷ ଅବସର ଗ୍ରହଣ କରିଥିଲେ। ତାଙ୍କ ଅବଦାନ ପାଇଁ ଓଷ୍ଟା ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଣୀ ସୁଶ୍ରୀ ସିଂ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ।

ଏହି ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ ବହଳଦା ବ୍ଲକ ର ଏଫ୍ଏମ୍ ଏକାଡେମୀ ତାରଣା ଉଚ୍ଚ ବିଦ୍ୟାଳୟ, ଝରାଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜାରିତାଣ୍ଡି ଉଚ୍ଚବିଦ୍ୟାଳୟ, ଅସନା ଉଚ୍ଚବିଦ୍ୟାଳୟ, ବହଳଦା ସରକାରୀ ଉଚ୍ଚବିଦ୍ୟାଳୟ, ବାସିଙ୍ଗି ଉଚ୍ଚବିଦ୍ୟାଳୟ, କୁଲଗୀ ଉଚ୍ଚବିଦ୍ୟାଳୟ, ଅଁଳାଯୋଡି ଉଚ୍ଚବିଦ୍ୟାଳୟ, ଶଶ ଉଚ୍ଚବିଦ୍ୟାଳୟ, ମଙ୍ଗଲ ଉଚ୍ଚବିଦ୍ୟାଳୟ ଯଶିପୁର, ବଡପଳସା ଉଚ୍ଚବିଦ୍ୟାଳୟ, ବିଞ୍ଜୁଆ ଉଚ୍ଚବିଦ୍ୟାଳୟ, ଗମ୍ଭାରିଆ ଉଚ୍ଚବିଦ୍ୟାଳୟ ଓ ବହଳଦା କିଚକେଶ୍ବରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରମୁଖ ୧୪’ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଶିଶୁ ଉତ୍ସବରେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ତର୍କ, କଣ୍ଠ ସଂଗୀତ, ଚିତ୍ରାଙ୍କନ, କବିତା ଆବୃତ୍ତି,ଗଳ୍ପ ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣ ଜ୍ଞାନ ଓ କୁଇଜ୍ ଇତ୍ୟାଦି ୧୦’ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥି ମଧ୍ୟରୁ କଣ୍ଠ ସଂଗୀତ ପ୍ରତିଯୋଗିତାରେ ବିଞ୍ଝୁଆ ଉଚ୍ଚବିଦ୍ୟାଳୟର ଛାତ୍ର ମୁକ୍ତେଶ୍ବର ସାହୁ ପ୍ରଥମ, କବିତା ଆବୃତ୍ତିରେ ତାରଣା ଏଫଏମ ଏକାଡେମୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ପାୟଲ ପ୍ରିୟଦର୍ଶିନୀ ପୃଷ୍ଟି, ଗଳ୍ପ ଲିଖନରେ ଏଫଏମ ଏକାଡେମୀ ତାରଣା ର ଛାତ୍ରୀ ସସ୍ମିତା ହେମ୍ବ୍ରମ ପ୍ରଥମ, କବିତା ରଚନାରେ ମଙ୍ଗଲ ଉଚ୍ଚବିଦ୍ୟାଳୟ ଯଶିପୁରଳର ଛାତ୍ରୀ ବିଜମଣୀ ମାର୍ଣ୍ଡି, ସାଧାରଣଜ୍ଞାନ ରେ କୁଲଗୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆକାଶ ନାୟକ ପ୍ରଥମ, ଏକକ ଅଭିନୟରେ ବିଞ୍ଝୁଆ ବିଦ୍ୟାଳୟର ଛାତ୍ରୀ ସ୍ମୃତିରେଖା ଧୁଙ୍ଗିଆ, ଚିତ୍ରାଙ୍କନରେ ଆୟୁଶ କୁମାର ପରାମାଣିକ (ଏଫଏମ ଏକାଡେମୀ ତାରଣା), ତର୍କ ରେ ପାୟଲ ପ୍ରିୟଦର୍ଶିନୀ (ଏଫଏମ ଏକାଡେମୀ, ତାରଣା) ଓ ଏକକ ନୃତ୍ୟରେ ଶିକ୍ଷା ସିହ୍ନା (ଝରାଡିହି ଉଚ୍ଚବିଦ୍ୟାଳୟ) ପ୍ରଥମ ସ୍ଥାନରେ ରହି ଉପଢୌକନ ଓ ମାନପତ୍ର ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଭଗବତୀ ମିଶ୍ର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ତେବେ ଏହି ବ୍ଲକ ସ୍ତରର ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଉଚ୍ଚ ସ୍ତରର ର ଶିଶୁ ଉତ୍ସବ ପ୍ରତିଯୋଗିତାରେ ଭାଗ ନେବା ସହ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଦେଶର ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ମାନଙ୍କରେ ଭାଗ ନେବାକୁ ଗସ୍ତ କରିବେ। ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ଏହି ଶିଶୁ ଉତ୍ସବ ଜରିଆରେ ଶିଶୁ ମାନଙ୍କ ମେଧା ଅନ୍ବେଷଣ କରାଯାଇ ପ୍ରତିଭା ର ବିକାଶ କରାଯାଉଥିବା ବେଳେ ଛାତ୍ରଛାତ୍ରୀ’ଙ୍କ ଗସ୍ତ ଖର୍ଚ୍ଚ ସଂଘ ପକ୍ଷରୁ ବହନ କରାଯାଇଥାଏ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ମୋଟ ୧୪’ ଟି ବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ପାଞ୍ଚଟି ପୁରସ୍କାର ପାଇ ତାରଣା ଏଫଏମ ଏକାଡେମୀ ପ୍ରଥମ ସ୍ଥାନରେ ରହି ଓଷ୍ଟା ସଂଘ ପକ୍ଷରୁ ପୁରସ୍କୃତ ହୋଇଥିଲେ।