Onn 3

ଉଦଯାପିତ ହେଲା ପଞ୍ଚ ଦିବସୀୟ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

State

ବାରିପଦା : ରାଜ୍ୟ କୃଷି ଏବଂ କୃଷି ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଦିନ ଉଦଯାପିତ ହୋଇଯାଇଛି। ଏହି ପାଞ୍ଚଦିନ ବ୍ୟାପି ହୋଇଥିବା ମେଳା, ବାରିପଦା ସ୍ଥିତ ଛଉ ପଡିଆ ରେ ହର୍ଷ ଉଲ୍ଲାସରେସମାପ୍ତ ହୋଇଛି। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ମୋରଡା, ଶ୍ରୀ ରାଜକିଶୋର ଦାସ ଯୋଗଦାନ କରିଥିବା ବେଳେ, ଉକ୍ତ ସଭାରେ ମାନ୍ୟବର ବିଧାୟକ ବାରିପଦା ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ଦାସ ଓଡ଼ିଶାର ପରିବର୍ତନ ଧାରାରେ କୃଷି ଯାନ୍ତ୍ରିକରଣ ଓ ଯୁବ ଚାଷୀ ମାନଙ୍କର ଉତ୍ତମ ଯୋଗଦାନ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ। ଏହି ପାଞ୍ଚଦିନ ବ୍ୟାପି ହୋଇଥିବା ମେଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ପାରଦର୍ଶିତା ଦେଖିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଗଲା।

ଇତ୍ୟବସରରେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତରୁଣ ଛୋଟରାୟ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ ଏବଂ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶ୍ରୀନିବାସ ପୃଷ୍ଟି ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏତଦ୍ବ୍ୟତୀତ ଚଳିତ କୃଷି ଯନ୍ତ୍ରପାତି ମେଳାରେ ସମୁଦାୟ ୩ କୋଟି ଟଙ୍କାରୁ ଉର୍ଧ୍ଵ ମୂଲ୍ୟର ଯନ୍ତ୍ରପାତି ବିକ୍ରୟହୋଇଥିବାର ସୂଚନା ଅଛି ଏବଂ ଆଗାମୀ ଦିନରେ ଏହା ଆହୁରି କିପରି ବୃଦ୍ଧି ପାଇବା ସେ ବିଷୟରେ ଶ୍ରୀ ପୃଷ୍ଟି ସବିଶେଷ ଆଲୋକପାତ କରିଥିଲେ। ପରିଶେଷରେ କୃଷି ଜିଲ୍ଲା ଅଧିକାରୀ ଲଖ୍ମ୍ନ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ କୃଷି ଅଧିକାରୀ ମଧୁସ୍ମିତା ଜେନା, ସାରଦା ହାଁସଦା ଏବଂ ଅନ୍ୟାନ୍ୟ ଅଧିକାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରିଷ୍ଠ ଯୋଜନା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।