Onn 3

ଗ୍ରାମୀଣ ଡ଼ାକ ସେବକ ସଂଘ ର ଧର୍ମଘଟ ; ଲୋକେ ହନ୍ତସନ୍ତ

State

ନିଶ୍ଚିନ୍ତକୋଇଲି: ଅଖିଳ ଭାରତ ଗ୍ରାମୀଣ ଡ଼ାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡ଼ାକ ସେବକ ସଂଘ ଓଡ଼ିଶା ସର୍କଲ ଆହ୍ୱାନ କ୍ରମେ ନିଶ୍ଚିନ୍ତକୋଇଲି ଓ ଅସୁରେଶ୍ୱର ଉପଡ଼ାକଘର ସମ୍ମୁଖରେ ଗ୍ରାମୀଣ ଡ଼ାକ ସେବକମାନେ କରିଥିବା ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି । ଦଶ ଦଫା ସମ୍ବଳିତ ଦାବିକୁ ନେଇ ସଂଘ ପକ୍ଷରୁ ଯେଉଁ ଧର୍ମଘଟ ଆରମ୍ଭ ହୋଇଛି ତାହା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଧର୍ମଘଟ ତିନିଦିନ ହେଲା ଚାଲିଥିଲେ ମଧ୍ୟ ଡ଼ାକ ବିଭାଗୀୟ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳକୁ ଆସିନଥିବା ଦେଖାଯାଇଛି । ନିଶ୍ଚିନ୍ତକୋଇଲି ଉପ ଡ଼ାକଘର କାର୍ଯ୍ୟାଳୟ ସମ୍ମୁଖରେ ସମ୍ପାଦକ ପ୍ରମୋଦ ଖାଁ ଙ୍କ ନେତୃତ୍ୱରେ ରଘୁନାଥ ପ୍ରସାଦ ସାହୁ, କପିଳେଶ୍ୱର ପାତ୍ର, ଭବାନୀଶଙ୍କର ପୃଷ୍ଟି, ହେମନ୍ତ ବେହୁରା,ଲିୟାକତ ଅଲ୍ଲୀ,ଶୁୁଭଶ୍ରୀ ସ୍ୱାଇଁ, ଚିନ୍ମୟ ସେଠୀ, ଅନୂପ କୁମାର ରଥ, ଅକ୍ଷୟ କୁମାର ସ୍ୱାଇଁ ଙ୍କ ସମେତ ବହୁ ଡ଼ାକ କର୍ମଚାରୀ ଧର୍ମଘଟରେ ବସିଛନ୍ତି । ଉକ୍ତ ଧର୍ମଘଟ ପାଇଁ ଲୋକମାନେ ଡ଼ାକସେବା ପାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହୋଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଯଦିଓ ଉପଡ଼ାକଘର ଖୋଲା ରହିଛି ହେଲେ ଡ଼ାକ ସେବା ପାଇଁ ଆସୁଥିବା ଲୋକମାନଙ୍କୁ ଧର୍ମଘଟକାରୀ କାର୍ଯ୍ୟାଳୟ ଭିତରକୁ ଛାଡ଼ୁନଥିବା ରୁ ସେମାନେ କୌଣସି କାର୍ଯ୍ୟ କରିପାରୁନଥିବା ଦେଖାଯାଇଛି । ଡ଼ାକ ଯାଇପାରୁନଥିବାରୁ ବିଭିନ୍ନ ଜରୁରୀକାଳୀନ ସରକାରୀ ଓ ବେସରକାରୀ ଚିଠିପତ୍ର ଯାଆସ କରିପାରୁନଥିବା , ପୋଷ୍ଟାଲ ବ୍ୟାଙ୍କିଙ୍କ କାର୍ଯ୍ୟ ହୋଇପାରୁନଥିବା, ଆଧାର କାର୍ଡ଼ ସଂଶୋଧନ ସଂକ୍ରାନ୍ତ କୌଣସି କାର୍ଯ୍ୟ କରାଯାଇ ପାରୁନଥିବାରୁ ବହୁ ଲୋକମାନେ ହତାଶ ହୋଇ ଫେରୁଥିବା ଦେଖାଦେଇଛି । ତୁରନ୍ତ ଏହି ଧର୍ମଘଟକୁ ବନ୍ଦ କରିବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଡ଼ାକବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଦାବି କରିଛନ୍ତି ।