Caste Census

ବିଧାନସଭାରେ ସଂରକ୍ଷଣ ତାତି

State

ଭୁବନେଶ୍ବର: ବିଧାନସଭାରେ ସଂରକ୍ଷଣ ତାତି। ଓବିସି ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ସଂରକ୍ଷଣ ଦାବିରେ ଗୃହରେ ହୋହଲ୍ଲା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓବିସଙ୍କ ପାଇଁ ସଂରକ୍ଷଣ ସହ ଏସସି ଏସଟିଙ୍କ ପାଇଁ ପର୍ଯ୍ୟାପ୍ତ ସଂରକ୍ଷଣ ପାଇଁ ଦାବି ହୋଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଏସସି, ଏସଟି ଓ ଓବିସି ବର୍ଗ ପାଇଁ ସଂରକ୍ଷଣ ପାଇଁ ଦାବି କରୁଛନ୍ତି ବିରୋଧୀ । ସେପଟେ ବିଜେପି ଆଦିବାସୀଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖିଥିବା କହିଛି । ତେବେ ପ୍ରଶ୍ନ ଉଠୁଛି, ସଂରକ୍ଷଣକୁ ନେଇ କାହିଁକି କୌଣସି ଦଳ ନେଇପାରୁନି ସ୍ପଷ୍ଟ ଆଭିମୁଖ୍ୟ?

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭାରେ ବିରୋଧ ପ୍ରଦର୍ଶନ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ରାଜ୍ୟର ମୋଟ୍ ଜନସଂଖ୍ୟାର ଆନୁପାତିକ ୫୪ପ୍ରତିଶତ ଓବିସି ଓ ୪୦ପ୍ରତିଶତ ଏସସି, ଏସଟି ରହିଛନ୍ତି । ତେବେ ରାଜ୍ୟର ଅଧା ଜନସଂଖ୍ୟାର ପ୍ରତିନିଧିତ୍ବ କରୁଥିବା ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ଶୂନ ସଂରକ୍ଷଣ ଦିଆଯାଇଛି।  କେନ୍ଦ୍ର ଓବିସି ବର୍ଗକୁ ୨୭ପ୍ରତିଶତ ସଂରକ୍ଷଣ ଦେଉଥିବା ବେଳେ ରାଜ୍ୟ କେବଳ ଚାକିରି କ୍ଷେତ୍ରରେ ୧୧.୨୫ପ୍ରତିଶତ ସଂରକ୍ଷଣ ଦେଉଛି। ସେହିପରି ଏସସି, ଏସଟି ବର୍ଗଙ୍କୁ ସଂଖ୍ୟା ଅନୁପାତରେ ୩୮.୭୫% ସଂରକ୍ଷଣ ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ଦିଆଯାଉଛି । ଚାକିରି କ୍ଷେତ୍ରରେ ଓବିସିଙ୍କୁ ସଂରକ୍ଷଣ ଦିଆଯାଉଥିବା ବେଳେ ନାମଲେଖାରେ କାହିଁକି ଦିଆଯାଉନି ? ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନମିଳିଲେ ଚାକିରି ପାଇଁ ଦକ୍ଷ ପିଲା କେମିତି ଯିବେ? ବୋଲି ବିଜେଡି ପ୍ରଶ୍ନ କରିଛି । ସରକାର ଜାଣିଶୁଣି ସଂରକ୍ଷଣ କଥା ଶୁଣୁନଥିବା କଂଗ୍ରେସ ଅଭିଯୋଗ କରିଛି ।