Onn 3

କୁଆଡେ ଗଲା ବର୍ଜ୍ୟରୁ ବିଜୁଳି ପ୍ରକଳ୍ପ : ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ରାଜଧାନୀବାସୀ

State

4-40

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦୈନିକ ସହରରୁ ବାହାରୁଥିବା ୮୦୦ ଟନ୍‌ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରିବା ଭୁବନେଶ୍ୱର ମହାନଗର ନିଗମ ଏବଂ ନଗର ଉନ୍ନୟନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି। ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଗତ ୧ଦଶନ୍ଧି ଧରି ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିଲେ ମଧ୍ୟ ସଫଳତା ଅପହଞ୍ଚ ହୋଇଛି। ଅପରପକ୍ଷରେ ଆବର୍ଜନା ଦୁର୍ଗନ୍ଧରେ ସହରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି।
ଏକ ଆକଳନରୁ ଜଣାପଡ଼ିଛି ଯେ, ବଡ଼ ବଡ଼ ସହରରେ ରହୁଥିବା ପ୍ରତ୍ୟେକ ଲୋକ ପିଛା ଦୈନିକ ୫୦୦ ଗ୍ରାମ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥାଏ। ଭୁବନେଶ୍ୱର ମହାନଗର ନିଗମରେ ପ୍ରାୟ ୧୫ଲକ୍ଷ ଲୋକ ବାସ କରୁଛନ୍ତି। ଜନସଂଖ୍ୟାକୁ ହିସାବକୁ ନେଲେ ସହରରୁ ଦୈନିକ ପ୍ରାୟ ୭୦୦ରୁ ୮୦୦ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି। ଏତେ ପରିମାଣ ବର୍ଜ୍ୟବସ୍ତୁକୁ ଠିକ୍‌ ଢଙ୍ଗରେ ପରିଚାଳନା ନେଇ ଆନ୍ତରିକତା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ ହେବାର ୨୮ବର୍ଷ ପରେ ମଧ୍ୟ ଏକ ଦୀର୍ଘମିଆଦୀ ବ୍ୟବସ୍ଥା ହୋଇପାରି ନାହିଁ । ଏହାର କୁପରିଣାମ ସହରବାସୀଙ୍କୁ ଭୋଗିବାକୁ ପଡୁଛି। ବିଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ଯେଉଁ ପଦକ୍ଷେପ ନିଆଯାଉଛି ତାହା ସଫଳ ହେଉ ନ ଥିବାରୁ ବର୍ଜ୍ୟବସ୍ତୁର କୁପରିଣାମ ସମଗ୍ର ସହରକୁ ଭୋଗିବାକୁ ପଡୁଛି। ୨୦୧୪ରେ ବିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଦାରୁଠେଙ୍ଗ ଡମ୍ପିଂ ୟାର୍ଡଠାରେ ଓ୍ବେଷ୍ଟ ଟୁ ଏନର୍ଜି(ବର୍ଜ୍ୟରୁ ବିଜୁଳି ) ନାମରେ ଏକ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଏସ୍‌ଏଲ୍‌ ମ୍ୟୁନିସିପାଲ ସଲିଡ୍‌ ଓ୍ବେଷ୍ଟ (ଏମ୍‌ଏସ୍‌ଡବ୍ଲ୍ୟୁ) ଭୁବନେଶ୍ୱର ଲିମିଟେଡ ନାମକ ସଂସ୍ଥା ସହିତ ଚୁକ୍ତିନାମା କରିଥିଲା। ଏଥିପାଇଁ ୨୦୦କୋଟି ଟଙ୍କାର ବଜେଟ ଅଟକଳ ମଧ୍ୟ ହୋଇଥିଲା। ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରି ୧୧ ମେଗାୱାଟ ଶକ୍ତି ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସରକାରୀ ଉଦାସୀନତା ଏଥିରେ ବାଧା ସୃଷ୍ଟି କରିଥିଲା। ୨୦୧୮ରେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଭୁଆସୁଣୀଠାରେ ବର୍ଜ୍ୟବସ୍ତୁ ପକାଇବା ଉପରେ ରୋକ ଲଗାଇବା ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପ୍ରକଳ୍ପ ଆଶା ମଉଳି ଗଲା। ଏସ୍‌ଏଲ୍‌ ସଂସ୍ଥା ଏହି ଚୁକ୍ତିନାମାରୁ ଓହରିଗଲା ପରେ ଦାରୁଠେଙ୍ଗଠାରେ ଆବର୍ଜନା ପାହାଡ଼ ଠିଆ ହେଲା। ଏପରି କି ସୈନିକ ସ୍କୁଲଠାରୁ ଦାରୁଠେଙ୍ଗ ବର୍ଜ୍ୟବସ୍ତୁ ପରିବହନ ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଯୋଗୁ ଜୀବନହାନୀ ମଧ୍ୟ ହେଲା। ପରେ ଦାରୁଠେଙ୍ଗ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁ ୨୦୨୩ ମେ’ ୧୫ ତାରିଖରେ ସୈନିକ ସ୍କୁଲ ଡମ୍ପିଂ ୟାର୍ଡରୁ ଦାରୁଠେଙ୍ଗକୁ ଅଳିଆବୁହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଦାରୁଠେଙ୍ଗ ଗ୍ରାମବାସୀ ବିଜୟ ଉତ୍ସବ ପାଳନ କଲେ। ଏଭଳି ପରିସ୍ଥିତିରେ ବିଏମ୍‌ସି ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ସହରର ସମସ୍ତ ୮୦୦ ଟନ୍‌ ଆବର୍ଜନା ଗଦାହୋଇ ପାହାଡ଼ ଆକାର ଧାରଣ କରିଛି। ଏଥିରୁ ନିଗର୍ତ ହେଉଥିବା ପଚାପାଣି ଦୁର୍ଗନ୍ଧ ଯୋଗୁ ଭିଏସ୍‌ଏସ୍‌ ନଗର, ଗଜପତି ନଗର, ଗାଡ଼କଣ, ଚନ୍ଦ୍ରଶେଖରପୁର, ଚକେଇସିହାଣି, ରସୁଲଗଡ଼, ଆଚାର୍ଯ୍ୟବିହାର, ଆଇଆର୍‌ସି ଭିଲେଜ ଆଦି ଅଞ୍ଚଳର ଜନସାଧାରଣ ଅସ୍ତବ୍ୟସ୍ତ ହୋଇଛନ୍ତି। ଡମ୍ପିଂୟାର୍ଡ ନିକଟବର୍ତ୍ତୀ ଅଞ୍ଚଳର ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବତନ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି, କମ୍ପାନୀକୁ ୧୦୦ ଏକର ଜମି ବ୍ୟାଙ୍କ ବନ୍ଧକ ମାଗିବାରୁ ଓ୍ବେଷ୍ଟ ଟୁ ଏନର୍ଜି ପ୍ରକଳ୍ପ କାର୍ଯ୍ୟ ଆଗେଇପାରି ନ ଥିଲା। ଏପରି କି ଉକ୍ତ କମ୍ପାନୀ ଚୁକ୍ତିନାମାରୁ ମଧ ଓହରି ଯାଇଥିଲା ବୋଲି ମିଶ୍ର କହିଛନ୍ତି।
ପ୍ରକାଶ ଯେ, ରାଜଧାନୀର ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଏମ୍‌ସି ଅଣ୍ଟା ଭିଡ଼ି ବର୍ଜ୍ୟବସ୍ତୁ ପରିଚାଳନାର ବିକେନ୍ଦ୍ରୀକରଣ କରିଥିଲା। ସହରର ୪୩ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଏବଂ ମ୍ୟାଟେରିଆଲ ରିକୋଭରି ଫାସିଲିଟ ନିର୍ମାଣ କରାଯାଇଛି। ନିଜ ୱାର୍ଡର ଆବର୍ଜନାକୁ ଖତରେ ପରିଣତ କରାଯିବ। ବିଏମ୍‌ସିର ଏହି ଯୋଜନା ବିଭିନ୍ନ କାରଣରୁ ଫେଲ୍‌ ହୋଇଛି। କ୍ଷୁଦ୍ର ଏମ୍‌ସିସି ବିଫଳ ହେବା ପରେ ବିଏମ୍‌ସି ପକ୍ଷରୁ ପଳାଶୁଣିଠାରେ ୩୫୦ଟନ୍‌ର ମେଗା ଏମ୍‌ସିସି କରିବା ପାଇଁ ଯୋଜନା ହୋଇଛି। ଏହା କେତେଦୂର ସଫଳ ହେବ ଏବଂ ସହରବାସୀଙ୍କୁ ଦୁର୍ଗନ୍ଧରୁ ରକ୍ଷା ମିଳିବ ତାହା ଆଗାମୀ ଦିନରେ ଜଣାପଡ଼ିବ।