25 06 2023 Bjp Bjd 23451492

ବୁଥ୍‌ ବାହୁଡ଼ା ମତ: ଓଡ଼ିଶାରେ ବିଜେଡି-ବିଜେପି କଡ଼ା ମୁକାବିଲା

State

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ଏଥର ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ ରିପୋର୍ଟ କରିଛି। ସର୍ଭେ ରିପୋର୍ଟ ଗୁଡ଼ିକରେ କୁହାଯାଉଛି ଯେ, ବିଜୁ ଜନତା ଦଳକୁ ୨୦୧୯ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିବା‌ ନେଇ ସନ୍ଦେହ ଦେଖାଯାଇଛି।
ଅନ୍ୟପକ୍ଷରେ ‘ସ୍କୁଲ୍‌ ଅଫ୍ ପଲିଟିକ୍ସ’ ଆକଳନ କରିଛି ଯେ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବ। ସେମାନେ ଶାସକ ଦଳକୁ ୪୬ରୁ ୫୯ ଆସନ ଦେଇଛନ୍ତି। ସେମାନେ ଦାବି କରିଛନ୍ତି, ୪୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବ ଦଳ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ଭୋଟ ପ୍ରତିଶତ ବଢ଼ି ୪୨.୪ ପ୍ରତିଶତରେ ପହଞ୍ଚିବ। ଅର୍ଥାତ୍ ଦଳକୁ ୭୮ରୁ ୯୦ ଆସନ ମିଳିପାରେ। କଂଗ୍ରେସକୁ ଏହି ସଂସ୍ଥା ୭ରୁ ୧୩ ଆସନ ଦେଇଛି। ଅର୍ଥାତ୍ ୧୫.୧ ପ୍ରତିଶତ ଭୋଟ୍ ଦଳ ପାଇବ ବୋଲି ଆକଳନ କରାଯାଇଛି।
କ’ଣ ଥିଲା ୨୦୧୯ ଫଳ
ସାଧାରଣ ନିର୍ବାଚନ-୨୦୧୯ରେ ଶାସକ ବିଜୁ ଜନତା (ବିଜେଡି) ଦଳକୁ ୪୪.୭୧ ପ୍ରତିଶତ ଭୋଟ୍‌ ପାଇଥିଲା। ୨୦୧୪ ତୁଳନାରେ ଏହା ୧.୩ ପ୍ରତିଶତ ଭୋଟ୍‌ ଅଧିକ ଥିଲା। ଦଳ ୧୧୨ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ପୂର୍ବ ନିର୍ବାଚନ ତୁଳନାର ୫ଟି କମ୍‌ ଆସନରେ ବିଜୟୀ ହୋଇଥିଲା। ଭାରତୀୟ ଜନତା ପାର୍ଟି (ବିଜେପି) ୩୨.୪୯ ପ୍ରତିଶତ ଭୋଟ୍‌ ପାଇଥିଲା। ବିଜେପି ୨୦୧୪ ତୁଳନାରେ ୧୪.୫ ପ୍ରତିଶତ ଭୋଟ୍‌ ଅଧିକ ପାଇଥିଲା। ବିଜେପିର ୧୩ଟି ଆସନ ଅଧିକରେ ବିଜୟୀ ହୋଇଥିଲା। ଦଳର ୨୩ ଜଣ ବିଧାୟକ ନିର୍ବାଚନ ଜିତିଥିଲେ। ୨୦୧୪ରେ କଂଗ୍ରେସ ୧୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଏହା ୯କୁ ଖସି ଆସିଥିଲା। କଂଗ୍ରେସର ୯.୬ ପ୍ରତିଶତ ଭୋଟ୍‌ ହ୍ରାସ ପାଇଥିଲା। କଂଗ୍ରେସକୁ ମୋଟ୍‌ ୧୬.୧୨ ପ୍ରତିଶତ ଭୋଟ୍‌ ମିଳିଥିଲା।