ବାରିପଦା : ଓଡ଼ିଶା ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତୃଣମୂଳରେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଲାଖ ବିନ୍ଧା ପ୍ରତିଯୋଗିତା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ ।
ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । କଇଁଫୁଲିଆ ଦନାର୍ଦ୍ଦନପୁରର ଚୈତନ୍ୟ ଟୁଡ଼ୁ ପ୍ରଥମ, ଦେବେନ୍ଦ୍ରପୁରର କାମେଶ୍ୱର ହେମ୍ବ୍ରମ୍ ଦ୍ୱିତୀୟ ଓ ଝିଙ୍କିରିଆ ରତନପୁରର ଶ୍ରୀନାଥ ବେଶ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ଓ କ୍ରୀଡ଼ା ସଂସଦର କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।