Onn 3

ଯବାନଙ୍କୁ ଆକ୍ରମଣ ଓ ହତ୍ୟା ଘଟଣାରେ ୫ ଗିରଫ

State

940d67bd-5a48-41a5-8357-c3ee10ddc183-750x430

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା ଯବାନ ଜେ.ଡିଲେଶ୍ବର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର(୨୩), ଜେ.କଲ୍ୟାଣୀ ପାତ୍ର(୧୯) ଓ ବି.ଚିନେୟା ପାତ୍ର(୨୬) ଏବଂ ନିମଖଣ୍ତି ଥାନା ଜି.ଜଗନ୍ନାଥପୁର ପାଲିଗାଁର ସିଏଚ୍.ବିକି କୁମାର ପାତ୍ର(୨୬) ଓ ବି. ବୁଲୁ ପାତ୍ର(୨୬)। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ ଫେରାର ଥିବା ବେଳେ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ଏହାସହ ଘଟଣାରେ ଅନ୍ୟ କାହାରି ସଂପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
କାଳିପଲ୍ଲୀ ଗ୍ରାମର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣେଶ ପୂଜା ଭସାଣି ବେଳେ ଗଣ୍ଡଗୋଳରୁ ଛକାପଞ୍ଝା ଚାଲିଥିଲା। ଏକ କ୍ରିକେଟ୍‌ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଲେଶ୍ବରଙ୍କୁ ବିରୋଧୀ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ସୂଚନାନୁସାରେ, ଗଣେଶ ପୂଜା ସମୟରେ ଡିଲେଶ୍ବର ଗାଁକୁ ଆସିଥିବା ବେଳେ ଭସାଣି ବେଳେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଡିଲେଶ୍ବର ଗୋଟିଏ ଗୋଷ୍ଠୀର ନେତୃତ୍ବ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଅଭିଯୁକ୍ତ ସିଏଚ୍.ଶେଖର ପାତ୍ର ଓ ବି.ଚେନେୟା ପାତ୍ର ନେତୃତ୍ବ ନେଉଥିଲେ। ସେତେବେଳେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା। ଏହାପରେ ଜେ.କଲ୍ୟାଣୀ ପାତ୍ର କୁଆଡ଼େ ଡିଲେଶ୍ବରଙ୍କ ହ୍ବାଟସ୍ଆପ୍‌କୁ ହ୍ୟାକ୍‌ କରି ଏହାକୁ ଅପବ୍ୟବହାର କରି ପୁରୁଣା କଥାକୁ ନେଇ ବିବାଦ ସୃ‌ଷ୍ଟି କରିଥିଲା, ଯେଉଁଥିପାଇଁ ଡିଲେଶ୍ବର କଲ୍ୟାଣୀକୁ ଗାଲିଗୁଲଜ କରିଥିଲେ।
ଗତମାସ ୧୦ ତାରିଖରେ ପୁଣି ଗ୍ରାମରେ ଦେବୀ ନନ୍ଦିଆମା ପୂଜା ଉତ୍ସବ ବେଳେ ଅଭିଯୁକ୍ତ ଶେଖର ଏବଂ କଲ୍ୟାଣୀର ବନ୍ଧୁ ଲୋଚାପଡାର ବି.ବୁଲୁ ପାତ୍ର ଏବଂ ରାମପଲ୍ଲୀର ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ୍ ଯୋଗ ଦେଇଥିଲେ। ଏହାକୁ ନେଇ ଗ୍ରାମବାସୀ ଶେଖର ଓ କଲ୍ୟାଣୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ୩ ତାରିଖରେ ଗୋପାଳପୁର ରେଗେଡି ଗ୍ରାମ ଏବଂ ବ୍ରହ୍ମପୁରର ଏକ ଦଳ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୋଇଥିଲା। ଗୋପାଳପୁରରେ ଉକ୍ତ ମ୍ୟାଚ୍‌କୁ ୧୦ ଦିନ ପୂର୍ବରୁ ଛୁଟିରେ ଆସିଥିବା ଯବାନ ଡିଲେଶ୍ବର ଅତିଥି ଭାବରେ ଯାଇଥିଲେ। ଶେଖର, ବି.ଚିନେୟା, ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ ସେଠାରେ ଉପସ୍ଥିତ ଥିଲେ। କ୍ରିକେଟ୍ ମ୍ୟାଚ୍ ପରେ ମୃତ ଡିଲେଶ୍ବରଙ୍କ ସହ ଶେଖର, କଲ୍ୟାଣୀ ଓ ଚିନେୟାଙ୍କ ପୂର୍ବ ବିବାଦରୁ ବଚସା ହୋଇଥିଲା। ଅଭିଯୁକ୍ତମାନେ ଯୋଜନା ମୁତାବକ ଡିଲେଶ୍ବରଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ହରିପୁର ଛକ ଠାରେ ଅପେକ୍ଷା କରିଥିଲେ। ଡିଲେଶ୍ବର କିଛି ବନ୍ଧୁଙ୍କ ସହ ସେହି ରାସ୍ତା ଦେଇ ଆସିଲା ବେଳେ ଅଭିଯୁକ୍ତମାନେ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ଯବାନଙ୍କ ସହ ଆସିଥିବା ଇ.ଚିନେୟା ଅଭିଯୁକ୍ତଙ୍କ ବକଳରୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଡିଲେଶ୍ବରଙ୍କ ମାଆ ଜେ.ଜାନମ୍ମା ପାତ୍ରଙ୍କ ଅଭିଯୋଗ କ୍ରମେ ପ୍ରଥମେ ଚମାଖଣ୍ତି ଥାନାରେ ୩୦୭ ଦଫାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଯବାନଙ୍କ ମୃତ୍ୟୁ ପରେ ଏହି ମାମଲା ୩୦୨ରେ ପରିବର୍ତ୍ତନ କରାଯାଇଛି। ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁଙ୍କ ନେତୃତ୍ବରେ ଛତ୍ରପୁର ଓ ଚମାଖଣ୍ତି ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବାବଧାନରେ ଏକ ପୁଲିସ ଟିମ୍ ଏବଂ ୨ଟି ସ୍ବତନ୍ତ୍ର ପୁଲିସ ଟିମ୍ ଚଢ଼ଉ କରି ୫ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିବା ଏସ୍‌ପି ଶ୍ରୀ ମୀନା କହିଛନ୍ତି।