Onn 3

ଅଧିକାରୀଙ୍କ ଅନୁପସ୍ଥିତି ବଢାଉଛି ଅସନ୍ତୋଷ, ନାହିଁ ନାହିଁରେ ଚାଲିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

State

ଆଗରପଡ଼ା: ନା ଅଛନ୍ତି ଅମିନ,ନା ପିଅନ,ନା ଆସୁଛନ୍ତି ରାଜସ୍ୱ ନିରୀକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ । ଉକ୍ତ କାର୍ଯ୍ୟାଳୟରେ କେହିବି କର୍ମଚାରୀ ନଥିବା ବେଳେ ସୂଚନା ଅନୁଯାୟୀ ଗତ ୧୫ଦିନ ହେବ ରାଜସ୍ୱ ନିରୀକ୍ଷକ ମଧ୍ୟ ଅନୁପସ୍ଥିତ ଅଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଜଣେ ରାଜସ୍ୱ ନିରୀକ୍ଷକ(ସହାୟକ)ଏଠାରେ ନିଯୁକ୍ତି ପାଇଥିଲେ ସୁଦ୍ଧା ସେ କ୍ଷମତା ପାଇନଥିବାରୁ କୌଣସି କାର୍ଯ୍ୟ କରିବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟାଳୟ ଅଧିନରେ ପୁରୁଷଣ୍ଢ, ଗୋପିନାଥପୁର, ବିଟିପୁର, ବଡ଼ମହିଷଁଗୋଠ,ମହାନ୍ତିପଡ଼ା ଓ ଆଡ଼ିଆ ଏହିପରି ୬ ଗୋଟି ପଚାୟତର ପ୍ରାୟ ୪୭ ଗୋଟି ମୌଜା ରହିଥିବା ସ୍ଥଳେ ଜଣେ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଉକ୍ତ କର୍ମଚାରୀ ଜଣଙ୍କ ଖୋଦ ରାଜସ୍ୱ ନିରୀକ୍ଷକ । ଯିଏ ଏକାକି ଉକ୍ତ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସଂପାଦନ କରୁଛନ୍ତି । ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ନା ଅଛନ୍ତି ଅମିନ ନା ପିଅନ । କେହି ଅନ୍ୟ କର୍ମଚାରୀ ନଥିବାରୁ କୌଣସି ସରକାରୀ କାର୍ଯ୍ୟରେ ନିରୀକ୍ଷକ ଜଣଙ୍କ ନିୟୋଜିତ ରହିଲେ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବନ୍ଦ ହୋଇପଡିଥାଏ ।

ଏହିପରି ସ୍ଥଳେ ସେ ଗତ ୧୫ ଦିନ ହେବ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ଖଜଣା, ସାର୍ଟିଫିକେଟ,ଭତ୍ତା ଫର୍ମ,ଲିଗାଲ ହେୟାର ପ୍ରକାଣପତ୍ର ଆଦି ପାଇବାକୁ ଏଠାକୁ ଆସିଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ନିରାଶ ହୋଇ ଫେରୁଥିବାର ଜଣାପଡ଼ିଛି । । ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ଛାତ୍ରବୃତ୍ତି ପ।।ଇଁ ଆବଶ୍ୟକ ହେଉଥିବା ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର,ଜାତିଗତ ପ୍ରମାଣପତ୍ର ଆଦି ଠିକ୍ ସମୟରେ ମିଳି ପାରୁନଥିବା ଅଭିଯୋଗ ହେଉଛି । ରାଜସ୍ୱ ନିରୀକ୍ଷକଙ୍କୁ ତାଙ୍କ ଅନୁପସ୍ଥିତି ବିଷୟରେ ଯୋଗାଯୋଗ କରିବାରୁ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ସେ ଅନୁପସ୍ଥିତ ଥିବା ପ୍ରକାଶ କରିଥିଲେ । ତାଙ୍କ ଅନୁପସ୍ଥିତିରେ ନିଯୁକ୍ତି ପାଇଥିବା ସହାୟକଙ୍କୁ ଉପରିସ୍ଥ ଅଧିକାରୀ କାର୍ଯ୍ୟକରିବା ପାଇଁ କାହି÷କି କ୍ଷମତା ପ୍ରଦାନ କରୁନାହାନ୍ତି ତାହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍କୁଳ ନିର୍ଦ୍ଦେଶ କରୁଛି । ଏହି ବିଷୟରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ କଲ୍ ରିସିଭ କରିନଥିଲେ । ତେଣୁ ଉକ୍ତ କାର୍ଯ୍ୟାଳରେ ଲାଗି ରହିଥିବା ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇକୁ ବିଭିନ୍ନ ମହଲରୁ ଦାବି ହେଉଛି ।