Onn 3

ଶିକ୍ଷକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଦେଖାଯାଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ କାର୍ଯ୍ୟାଳୟରେ ଆବଶ୍ୟକୀୟ କର୍ମଚାରୀ ରହିଥିବାବେଳେ କଣ ପାଇଁ ଶିକ୍ଷକ ମାନଙ୍କର କାର୍ଯ୍ୟ ହେଉନାହିଁ ସେ ନେଇ ଶିକ୍ଷକ ମହଲରେ ପ୍ରଶ୍ନ ଉଠିଛି । କାର୍ଯ୍ୟାଳୟରେ ସଠିକ୍ ଭାବେ କାର୍ଯ୍ୟ ହେଉନଥିବା ପଛରେ କି ରହସ୍ୟ ରହିଛି ଏବଂ ଏଥିପାଇଁ କର୍ମଚାରୀ କିମ୍ବା ଅଧିକାରୀ ଦାୟୀ ନେଇ ସେ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଶିକ୍ଷକ ମହଲରେ ଦାବି ହୋଇଛି । ସରକାର ପ୍ରାଥମିକ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦେଉଥିଲାବେଳେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଶିକ୍ଷକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଡ଼ିସେମ୍ବର ୧୪ ତାରିଖ ମଧ୍ୟରେ ଶିକ୍ଷକମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଯଦି ସମାଧାନ କରାନଯାଏ ତାହେଲେ ସମସ୍ତ ଶିକ୍ଷକ ମାନେ ଡ଼ିସେମ୍ବର ୧୫ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି । ଗତ ଜାନୁଆରୀ ୨୦୨୩ରୁ ମେ ୨୦୨୩ ଏବଂ ଜୁଲାଇ ୨୦୨୩ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶିକ୍ଷକମାନଙ୍କୁ ୪% ଡ଼ିଏ ପ୍ରଦାନ କରାଯାଇଥିଲା । କଟକ ଜିଲ୍ଲାରେ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଶିକ୍ଷକ ମାନଙ୍କୁ ଉକ୍ତ ବକେୟା ବର୍ଦ୍ଧିତ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଏହି କାର୍ଯ୍ୟାଳୟ ଅଧିନ ଶିକ୍ଷକମାନେ ଏହି ବକେୟା ଅର୍ଥ ପାଇପାରିନାହାଁନ୍ତି । ଏହାଛଡ଼ା ସ୍ତର ୩ ଓ ସ୍ତର ୪ କୁ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କର ଅଦ୍ୟାବଧି ବର୍ଦ୍ଧିତ ହାରରେ ଦରମା ସ୍ଥିରିକୃତ ହୋଇନାହିଁ । ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ତାଲିମରେ ଶିକ୍ଷକମାନେ ଅଂଶ ଗ୍ରହଣ କରୁଥିଲେ ମଧ୍ୟ ସେମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରାଯାଉନାହିଁ ।

ଶିକ୍ଷକ ମାନେ ଅନଲାଇନ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ଟାବେଲଟ୍ ଯୋଗାଇ ଦିଆଯାଇଥିବାବେଳେ କାର୍ଯ୍ୟାଳୟ ପକ୍ଷରୁ ଅଦ୍ୟାବଧି ଶିକ୍ଷକ ମାନଙ୍କୁ ଦିଆଯାଉନାହିଁ । ୨୦୧୧ ବ୍ୟାଚ୍ ପରଠାରୁ ନିଯୁକ୍ତି ପ୍ରାପ୍ତ ଶିକ୍ଷକମାନଙ୍କର ନୂତନ ପେନସନ ଯୋଜନାରେ ଅର୍ଥ କଟାଯାଉନଥିବାରୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ଏହିଭଳି ସମସ୍ୟା ନେଇ ଶିକ୍ଷକ ସଂଘ ପକ୍ଷରୁ ଶାରଦା ଆଚାର୍ଯ୍ୟ, ସାନ୍ତନୁ କର, ନାରାୟଣ ଚାନ୍ଦ,କିଶୋର ନାଥ,ଦେବବ୍ରତ ସାମନ୍ତରାୟ,ଗୋଲାମି ମେହେନ୍ଦୀ ହସନ, କାର୍ତ୍ତିକ ଦଳାଇ, ଅଲେଖ ବାରିକ, ପ୍ରଭାକର ସ୍ୱାଇଁ, ମୀନତି ନାୟକ, ହରେକୃଷ୍ଣ ବେହେରାଙ୍କ ସମେତ ବହୁ ଶିକ୍ଷକ ଏ ସଂକ୍ରାନ୍ତରେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଶିକ୍ଷକ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରା ଅଭିଯୋଗ ପାଇବା ପରେ ସଂଘର କର୍ମକର୍ତ୍ତାମାନଙ୍କୁ ଡ଼ାକି ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।