Onn 3

ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ମିଗଜୋମ୍’, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

State

 

Chennai-1

ଭୁବନେଶ୍ବର: ଆନ୍ଧ୍ର ଉପକୂଳ ଛୁଇଁଲା ବାତ୍ୟା ‘ମିଗଜୋମ୍’ । ପ୍ରଚଣ୍ଡ ରୂପ ନେଇ ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ‘ମିଗଜୋମ୍’ । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଜାରି ରହିଛି ବର୍ଷା । ‘ମିଗଜୋମ୍’ ଘଣ୍ଟା ପ୍ରତି ବେଗ ୧୨ କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବାବେଳେ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବୋହୁଛି ।

ଏହା ସହିତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତିରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ବର୍ଷାର ସମ୍ଭାବନାକୁ ନେଇ ଅମଳ ହେବାକୁ ଥିବା ଫସଲକୁ ନେଇ ଚାଷୀଙ୍କୁ ସତର୍କ କରାଇଛି ବିଭାଗ । ଉପକୂଳ ଜିଲ୍ଲା ଗୁଡିକରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ ଆଜି ମଧ୍ୟରାତ୍ର ସୁଦ୍ଧା ବାତ୍ୟା ‘ମିଗଜୋମ୍’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ବାତ୍ୟାର ପ୍ରଭାବ କାଲି ପର୍ଯ୍ୟନ୍ତ ଜାରି ରହିବ ଏବେ ଏଥି ଯୋଗୁଁ ରାଜ୍ୟର ଅନେକାଂଶ ଜିଲ୍ଲାରେ ବର୍ଷା ହେବ ଏବଂ ଆସନ୍ତା ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି ।