Krushna

ରାଜ୍ୟର ସମସ୍ତ ପୌରପାଳିକାରେ ୨୦୨୭ ସୁଦ୍ଧା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ

State

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ । OWSSB ୱାଟକୋ ଏବଂ ଜନ ସ୍ବାସ୍ଥ୍ୟ ତିନି ବିଭାଗ ସହ ଆଲୋଚନା କରାଯାଇଛି । ଲୋକଙ୍କ ନିକଟରେ ୨୪ ଘଣ୍ଟା ବିଶୁଦ୍ଧ ପାଣି ପହଞ୍ଚିବାନେଇ ବିସ୍ତୃତ ଆଲୋଚନା କରାଯାଇଛି ।

ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ଗୁଡିକ ସଂପର୍କରେ ଆଲୋଚନା କରାଯାଇ ନିର୍ଦ୍ଧାରିତ ସମୟ ସୀମାମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ଅଧିକାରୀମାନଙ୍କୁ ପାରାମର୍ଶ ଦିଆଯାଇଛି । ଯେଉଁ ସବୁ ପକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନି କେଉଁ କେଉଁ ସମସ୍ୟା ପାଇଁ ଅଟକିଛି, କାମ କିପରି ତ୍ଵରାନିତ ହେବ ସେନେଇ ଆଲୋଚନ ହୋଇଛି ଓ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୫-୨୬ ବଜେଟ୍ ଏପ୍ରିଲ୍ ଆରମ୍ଭରୁ କେମିତି କାର୍ଯ୍ୟକାରୀ ହେବ ସେନେଇ ଚିନ୍ତା କରୁଛୁ । ଏନେଇ ବିବାଗୀୟ ପଦାଧିକାରୀ ମାନଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଖରା ପାଇଁ ଯେମିତି କିଛି ସମସ୍ୟା ନ ହୁଏ ତାକୁ ନଜର ଦେବୁ । ଦରକାର ପଡ଼ିଲେ ଅଧିକ ଟ୍ୟାଙ୍କର ମଗାଯିବ । ପାଣି ସମସ୍ୟା ପାଇଁ ଦରକାର ହେଲେ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଅଭିଯୋଗ ଆସିବାର ୨ ଘଣ୍ଟା ଭିତରେ ସମସ୍ୟାର ସମାଧାନ ହେବ ।

ଯେତିକି ପ୍ରୋଜେକ୍ଟ ଥିଲା ପ୍ରାୟତଃ ଗୋଟିଏ, ଦୁଇଟି ଛାଡ଼ିଲେ ସବୁ ସରିଯାଇଛି । ଖୁବ ଶୀଘ୍ର ବାକି ଗୁଡ଼ିକର କାମ ସରିବ । ଜମି ଅଧିଗ୍ରହଣ ସମସ୍ୟା ପାଇଁ ପାଇପ ପକାଇବାରେ ସମସ୍ୟା ହେଉଛି ଯାହାର ସମାଧାନ କରାଯିବ ।

ପାଣିର ଉତ୍ସ ପାଇଁ ଭୂତଳ ଜଳ ଓ ନଦୀର ଜଳକୁ ବ୍ୟବହାର କରୁଛୁ । ବୈଠକରେ ନଦୀର ଜଳକୁ ବ୍ୟାରେଜ୍ ଯୋଗେ କିପରି ଅଧିକ ବ୍ୟବହାର କରାଯିବ ସେ ନେଇ ଆଲୋଚନା ହୋଇଛି । ବହିଯାଉଥିବା ପାଣିର ୧୭ ପ୍ରତିଶତ ହିଁ ଆମେ ବ୍ୟବହାର କରୁଛେ, ବାକି ସମୁଦ୍ରରେ ମିଶିଯାଏ । ତେଣୁ ବ୍ୟାରେଜ୍ ମାଧ୍ୟମରେ ଅଧିକ ପାଣି ସଂଗ୍ରହ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ।

ସହରାଞ୍ଚଳ ମାନଙ୍କରେ ଯୋଗାଇ ଦିଆଯାଉଥିବା ପାନୀୟଜଳ ଦେୟ ଆଦାୟ ନିମନ୍ତେ ଲାଗିଥିବା ମିଟର ବଦଳରେ ସ୍ମାର୍ଟ ମିଟର ଲାଗାଯିବ । ତେବେ ବର୍ତ୍ତମାନ ପାଇଁ ପରୀକ୍ଷା ମୂଳକ ଭାବେ ପାଇଲଟ୍ ବେଶିଷ୍‌ରେ କେତେକ ସହରାଞ୍ଚଳର କେତେକ ସ୍ଥାନରେ କାର୍ଯ୍ୟକାରୀ କରାଯିବ ଏବଂ ସଫଳତା ମିଳିଲେ ସମସ୍ତ ଅଞ୍ଚଳରେ ଏବଂ ସବୁ ସହରାଞ୍ଚଳରେ ଲଗାଯିବ ।